ମାଲକାନଗିରି, ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ରାସବେଡା ପଞ୍ଚାୟତର ଓରିଙ୍ଗି ଆଶ୍ରମ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସନ୍ୟାସୀ ଗୋଲପେଦା ସଭାପତିତ୍ବ କରିଥିଲା ବେଳେ, ମୁଖ୍ୟ ଅତିଥି ଭାବେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଜଜନ ବେହେରା, ମୁଖ୍ୟବକ୍ତା ଭାବେ ନନ୍ଦିନୀଗୁଡ଼ା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ପାଣିଗ୍ରାହୀ, ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ରାସବେଡା ପଞ୍ଚାୟତର ସରପଞ୍ଚ ପ୍ରମିଳା ଗୁଟା, ପାଣ୍ଡ୍ରିପାଣି ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୋହନ କୁମାର ପାଙ୍ଗି ଓ ସହକାରୀ ଶିକ୍ଷକ ଖୀରଦ ଚନ୍ଦ୍ର ମହାନ୍ତି, ପୋଲେରୁ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ପାତ୍ର, ପଦ୍ମଗିରି ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ସନ୍ତୋଷ କୁମାର ସାହୁ, ମୁଦୁଲିପଡ଼ା ବାଳକ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ କବିରାଜ ପ୍ରଧାନ, ସମାଜସେବୀ ବାଳକୃଷ୍ଣ ପ୍ରଧାନ ମଞ୍ଚରେ ମଞ୍ଚାସିନ ଥିଲେ ।
ଉକ୍ତ କାର୍ଯ୍ୟକ୍ରମର ଆବାହକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସବିତା ପଟ୍ଟନାୟକ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସର୍ବ ପ୍ରଥମେ ଠାକୁର ଜଗନ୍ନାଥଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ସଭାପତିଙ୍କ ଅନୁମତି କ୍ରମେ ବିଦ୍ୟାଳୟର ସହକାରୀ ଶିକ୍ଷକ ଚନ୍ଦନ କୁମାର ମୁଦୁଲି ଓ ଜ୍ୟୋତି ରଞ୍ଜନ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ସାକାର ରୂପ ଦେବା ନିମନ୍ତେ ସର୍ବଶ୍ରି ସମୀର ଶୀସା , ସବିତା ଅଞ୍ଜେଲ୍, ଦେବସ୍ମିତା ସ୍ଵାଇଁ, ବିଚିତ୍ର ପ୍ରଧାନ, ଗଜେନ୍ଦ୍ର ଗହିର ଓ ବିଭୁଦତ ଷଣ୍ଢ ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।
ଅତିଥି ମାନେ ବିଶେଷ କରି ଓଡ଼ିଶା ରାଜ୍ୟରେ ଓ ଭାରତ ବର୍ଷରେ ଚାଲିଥିବା ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଭାରତୀୟ ମାନଙ୍କ ଉଲ୍ଲେଖନୀୟ ଯୋଗଦାନ ଓ ସଫଳତା ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ । ଚଳିତ ବର୍ଷ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବାଳିକା ବର୍ଗରେ ୬ ଗୋଟି ଓ ବାଳକ ବର୍ଗରେ ତିନି ଗୋଟି କ୍ରୀଡା ପ୍ରତିଯୋଗିତାର କୃତିତ୍ଵ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ପରିଶେଷରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା, ଯାହାକୁ ସମସ୍ତେ ମନଭରି ଉପଭୋଗ କରିଥିଲେ।