କନ୍ଧମାଳ- ସରକାର ପରିବେଶ ପ୍ରଦୂଷଣ ପ୍ରତି ଯଥେଷ୍ଟ ଗୁରୁତ୍ୱ ଦେଉଥିବା ବେଳେ ଦିନ ଦ୍ୱିପ୍ରହରରେ ଯିବା ଆସିବା ସମୟରେ ଜାତୀୟ ରାଜପଥ କଡରେ ଚାଲିଛି ପଥର ବ୍ଲାଷ୍ଟିଂ । ଫଳରେ ଲୋକେ ଯିବା ଆସିବା ସମୟରେ ଭୟଭୀତ ହେବାସହ ବାୟୁ ଓ ଶବ୍ଦ ପ୍ରଦୁଷଣ ମଧ୍ୟ ହେଉଛି । ଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ । ବଡ କଂପାନୀ ବଡ ଲୋକ ତାଙ୍କୁ ଆକଟ କରିବ କିଏ? ଏଭଳି ଅବସ୍ଥା ସୃଷ୍ଟି ହୋଇଛି ଓଡିଶାର କାଶ୍ମିର ଦାରିଙ୍ଗବାଡି ଅଂଚଳରେ । ଏବେ ପର୍ଯ୍ୟଟନ ଋତୁ ହୋଇଥିବାରୁ ଏହି ରାସ୍ତା ଦେଇ ପ୍ରତିଦିନ ଦେଶୀ ବିଦେଶୀ ଶହ ଶହ ପର୍ଯ୍ୟଟକ ଆସୁଥିବା ବେଳେ ଏହି ବାୟୁ ପ୍ରଦୁଷଣ ଦେଖି ଅଣନିସ୍ୱାସୀ ହୋଇପଡୁଥିବା କହିଛନ୍ତି । ଦାରିଙ୍ଗବାଡି ପ୍ରାକୃତିକ ମନୋରମ ପରିବେଶ ସୁନ୍ଦର ଓ ସ୍ୱଚ୍ଛ ଜଳବାୟୁ ଓ ପ୍ରକୃତିକୁ ଉପଭୋଗ କରିବାଲାଗି ପର୍ଯ୍ୟଟକ ଆସନ୍ତି । ହେଲେ ଜାତୀୟ ରାଜପଥ ୫୯ର ଏକ ରାସ୍ତା ନିର୍ମାଣ କାର୍ଯ୍ୟ ନେଇଥିବା ଠିକା ସଂସ୍ଥା ଶ୍ରାନିକେତା ପଂଚାୟତର ସୁଲୁମାହା ଘାଟିରେ ରାସ୍ତା ସମତଳ ଘାଟି କଟିଙ୍ଗ୍ ନାଁରେ ପଥର ବ୍ଲାଷ୍ଟିଂ କରୁଛି କୁଆଡେ । ଏଥିପାଇଁ ପ୍ରଶାସନର ଅନୁମତି ନଥିବା ମଧ୍ୟ କିଛି ଗ୍ରାମବାସୀ କହୁଛନ୍ତି । ପ୍ରଶାସନର ବିନା ଅନୁମତିରେ ଏହି ଠିକା ସଂସ୍ଥା ଦିନ ଦ୍ୱିପ୍ରହରରେ ଏଭଳି ବଡ ବଡ ପଥର ମାନ ରାସ୍ତା ଉପରେ ବ୍ଲାଷ୍ଟିଂ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ପରିବେଶବିତ୍ ପ୍ରଶ୍ନ କରିଛନ୍ତି । ଏନେଇ ଦାରିଙ୍ଗବାଡି ତହସିଲଦାର କିମ୍ବା ବାଲିଗୁଡା ଉପଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଖବର ନଥିବା ଜଣାପଡିଛି । ଏନେଇ ପ୍ରଶାସନ ତଦନ୍ତ କରି ଠିକା ସଂସ୍ଥା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି ।
Related Stories
December 2, 2024