କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଘୋଡା ବଜାର,ପୁରୀ ପରିସରରେ ଦେଶର ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ପର୍ବରେ ପୂର୍ବତନ ସାଂସଦ ତଥା ପୁରୀ ସାଗର ରୋଟାରିଆନ ସଦସ୍ୟ ଶ୍ରୀଯୁକ୍ତ ସୁରେନ୍ଦ୍ର ତାପରିଆ ମୁଖ୍ୟ ଅତିଥି ଭାବରେ ଯୋଗ ଦାନ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ।ବିଦ୍ୟା ଭାରତୀର କାର୍ଯ୍ୟକାର୍ତ୍ତା ଶ୍ରୀଯୁକ୍ତ କମଲ କିଶୋର ଚିତାଲାଂଗ୍ୟା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।ଦେଶର ବିକାଶରେ ସମ୍ବିଧାନର ମୁଖ୍ୟ ଭୂମିକା ରହିଛି ।ପ୍ରତ୍ୟେକ ଏକ ନିଷ୍ଠାପର ଓ ଦେଶଭକ୍ତ ନାଗରିକ ହେବା ଉଚିତ ଓ ଦେଶ ପାଇଁ ପ୍ରତ୍ୟକ୍ଷ ଭାବେ ହେଉ ବା ପରୋକ୍ଷ ଭାବେ ସେବା କରିବା ଉଚିତ ବୋଲି ମୁଖ୍ୟ ଅତିଥି କହିଥିଲେ।ପରେ ପରେ ଶିଶୁମାନେ ଘୋଷ ବାଦ୍ୟ ତାଳେ ତାଳେ ଏକ ଶୋଭାଯାତ୍ରାରେ ବିଦ୍ୟାଳୟ ନିକଟରୁ ବଡଦାଣ୍ଡ ଓ ପୁନଃ ବିଦ୍ୟାଳୟ କୁ ପ୍ରତ୍ୟାଗମନ କରିଥିଲେ।
ଏଥିସହ ଏହି ବସନ୍ତ ପଞ୍ଚମୀର ପବିତ୍ର ଦିବସରେ ବିଦ୍ୟାଦାୟିନୀ ମା ସରସ୍ଵତୀଙ୍କ ପୂଜନ ପର୍ବ ବିଦ୍ୟାଳୟ ପରିସରରେ ହର୍ଷ ଓ ଉଲ୍ଲାସ ସହିତ ପାଳିତ ହୋଇ ଯାଇଛି। ସୂର୍ଯ୍ୟାଦୟରୁ ସୁସଜ୍ଜିତ ପୂଜା ମଣ୍ଡପରେ ମା’ ସରସ୍ଵତୀଙ୍କୁ ବୈଦିକ ବିଧିରେ ଆବାହନ କରାଯାଇଥିଲା।ବିଦ୍ୟାଳୟ ଆଚାର୍ଯ୍ୟ ଶ୍ରୀଯୁକ୍ତ ଜୋସେଫ ମିଶ୍ର କର୍ତ୍ତା ରୂପେ ପୂଜାସ୍ଥଳୀରେ ଉପବେଶନ କରି ବିଦ୍ୟାଳୟର ସମସ୍ତ ଶିକ୍ଷାର୍ଥୀ, କର୍ମକର୍ତ୍ତା, ଅଭିଭାବିକ-ଅଭିଭାବିକା ଓ ଉପସ୍ଥିତ ସମସ୍ତ ଭକ୍ତଙ୍କ ଶୁଭମନାସୀ ଥିଲେ। ଶ୍ରଦ୍ଧାଳୁମାନେ ପୁଷ୍ପାଞ୍ଜଳି ଦେଇ ପ୍ରସାଦ ସେବନ କରିଥିଲେ।
ଏହି ପୁଣ୍ୟ ତିଥିରେ କୁନି କୁନି ଶିଶୁ ମାନଙ୍କ ବିଦ୍ୟାରମ୍ଭ ଯଜ୍ଞର ଆୟୋଜନ କରାଯାଇଥିଲା।ଶ୍ରୀମତୀ ରୀନା ରାଉତରାୟ ଗୁରୁମା ଙ୍କ ପରିଚାଳନାରେ ବିଦ୍ୟା ଆରମ୍ଭ କରିଥିବା ଶିଶୁମାନେ ଗୀତା ଗ୍ରନ୍ଥ ମୁଣ୍ଡାଇ ନିକଟସ୍ଥ ଶିବ ମନ୍ଦିରକୁ ଶୋଭାଯାତ୍ରାରେ ଯାଇଥିଲେ।
ବିଦ୍ୟାଳୟର ଆଚାର୍ଯ୍ୟ ଶ୍ରୀଯୁକ୍ତ କାଳନ୍ଦୀ ଚରଣ ସାହୁ ଓ ଶ୍ରୀମାନ ପ୍ରିୟରଞ୍ଜନ ଖୁଣ୍ଟିଆ ଏବଂ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ଅଭିମନ୍ୟୁ ଭୂୟାଁ, ଉପସଭାପତି ଶ୍ରୀଯୁକ୍ତ ସ୍ୱାଧୀନ କୁମାର ପ୍ରଧାନ, ସମ୍ପାଦକ ଶ୍ରୀଯୁକ୍ତ ସୀମାଞ୍ଚଳ ପଣ୍ଡା, ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ବିକାଶ ଦାସ ଓ ପୂର୍ବ ପରିଚାଳନା ସମିତିର ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ଶ୍ୟାମାକାହ୍ନା ପଟ୍ଟନାୟକ ସମେତ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅରବିନ୍ଦ ଦାସଙ୍କ ମାର୍ଗଦର୍ଶନରେ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ଓ ଶୃଙ୍ଖଳିତ ଭାବେ ପରିଚାଳିତ ହୋଇଥିଲା।ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା, ସେବକ ସେବୀକାଙ୍କ ସହଯୋଗରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା।