
ବୌଦ୍ଧ, କଂଟାମାଳ ବିଧାୟକଙ୍କ ଛତ୍ରଛାୟା ତଳେ କଂଟାମାଳ କଲେଜରେ ହରିଲୁଟ ଚାଲିଥିବା ନେଇ ଅଭିଯୋଗ କରିଛି କଂଟାମାଳ ନାଗରିକ କମିଟି । କଂଟାମାଳ କଲେଜରେ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ସୁରକ୍ଷିତ ନଥିବା ସହ କଲେଜ ଅଧ୍ୟକ୍ଷାଙ୍କ ଅପାରଗତାରୁ ନାନାଦି ସମସ୍ୟା ସୃଷ୍ଟି ହେଉଥିବା କୁହାଯାଇଛି । କଂଟାମାଳ ଠାରେ ନାଗରିକ କମିଟିର ସଭାପତି କେଦାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ଓମ ପ୍ରକାଶ ମିଶ୍ର, ଯଦୁ ବିହାରୀ ବାଗ, ରାମ ତାଣ୍ଡି ପ୍ରମୁଖ ବିଭିନ୍ନ ଅଭିଯୋଗ ନେଇ ମତପ୍ରଦାନ କରିଥିଲେ । ଆଗାମୀ ୭ ଦିନ ମଧ୍ୟରେ କଲେଜରେ ନୂତନ ଯୋଗ୍ୟ ଅଧ୍ୟକ୍ଷ ନିଯୁକ୍ତି କରାଯିବା, କଲେଜର ବିଭିନ୍ନ କମିଟିର ବିନା ଅନୁମୋଦନରେ ହୋଇଥିବା ନିର୍ମାଣ କାମ ର ଭିଜଲାନ୍ସ ତଦନ୍ତ କରାଯିବାକୁ ଦାବୀ କରାଯାଇଛି । କଲେଜର କମ୍ପୁଟର, ଲାଇବ୍ରେରୀ ବହି କିଣାଯିବା ଆଦିରେ ବ୍ୟାପକ ଦୁର୍ନିତୀ ହୋଇଥିବା ଅଭିଯୋଗ କରାଯାଇଛି । ଜିଲା ପ୍ରଶାସନ ଏଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ ନକଲେ କଂଟାମାଳ ନାଗରିକ କମିଟି ଜନ ଆନ୍ଦୋଳନ ଆରମ୍ଭ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦିଆଯାଇଛି । କଣ୍ଟାମାଳ କଲେଜକୁ ଆସୁଥିବା ଅନୁଦାନକୁ ସଠିକ୍ ବିନିଯୋଗ ହେଉ ନଥିବା ବେଳେ ସରକାରୀ ଅନୁଦାନ ବ୍ୟାପକ ଅନିୟମିତତା କରିଥିବା ନେଇ କଣ୍ଟାମାଳ ପୂର୍ତ୍ତ ବିଭାଗ ଡାକବଙ୍ଗଳା ସାମ୍ବାଦିକ ସମ୍ମିଳନୀରେ ଗୁରୁତର ଅଭିଯୋଗ ହୋଇଛି । ନିମ୍ନମାନର ଜିନିଷ କିଣି ସରକାରୀ ଅର୍ଥ ଆତ୍ମସାତ କରାଯାଇଛି । ନାକ୍ କମିଟି ଅନୁମୋଦନ ପରେ କଲେଜରେ ଜଣେ ପିଏଚଡି ଡିଗ୍ରୀ ଧାରୀ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦେବାର ନିୟମ ଥିଲେ ସୁଦ୍ଧା ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ବାର୍ଷିକ ରିପୋର୍ଟ ନଦେବା ଯୋଗୁଁ ନାକ କମିଟିର ଅନୁଦାନରୁ କଲେଜ ଦୀର୍ଘ ୬ବର୍ଷ ହେବ ବଞ୍ଚିତ ରହିଛି । କଲେଜ ପରିଚାଳନା କମିଟିର ବିନା ଅନୁମୋଦନରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଚାଲୁଥିବା କମିଟି ଅଭିଯୋଗ କରିଛି । ଅନ୍ୟପଟେ କଲେଜରେ ଚାଲୁଥିବା ଘର କାମ । ସରକାରୀ ନିୟମକୁ ବେଖାତିର କରି ବିନା ପିଲର ( ଖମ୍ ) ସହ ନିମ୍ନ ମାନର ନିର୍ମାଣ କାର୍ଯ୍ୟ ଚାଲୁଛି । କଲେଜରେ ପିଏଚଡି ଡିଗ୍ରୀଧାରୀ ଅଧ୍ୟକ୍ଷଙ୍କୁ ନିଯୁକ୍ତି କରିବା ସହ ଉକ୍ତ ଅନିୟମିତତାର ଭିଜିଲାନ୍ସ ତଦନ୍ତ କରିବାକୁ କମିଟି ଦାବି କରିଛି । ଏ ସମ୍ପର୍କରେ ଛାତ୍ରଛାତ୍ରୀ ମାନେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳି ନଥିବା ଅଭିଯୋଗ ହୋଇଛି । ଉକ୍ତ ଦାବି ୭ଦିନ ମଧ୍ୟରେ ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରିବାକୁ ସଚେତନ ନାଗରିକ କମିଟି ଚେତାବନୀ ଦେଇଛି ।