ବୌଦ୍ଧ,ଚାକିରୀ କରାଇଦେବାର ପ୍ରଲୋଭନ ଦେଖାଇ ୨ ଲକ୍ଷ ୪୬ ହଜାର ଟଙ୍କା ନେଇ ଫେରାର ଥିବା ଅଭିଯୁକ୍ତକୁ ଦୀର୍ଘ ୨ ବର୍ଷ ପରେ ମନମୁଣ୍ଡା ପୁଲିସ ଗିରଫ କରିବାରେ ସଫଳତା ହାସଲ କରିଛି।
ପ୍ରାପ୍ତ ସୂଚନାମତେ, ମନମୁଣ୍ଡା ଥାନା ଦହ୍ୟା ଗ୍ରାମର ରାହୁଲ କୁମାର ଦାସ ବି.ଟେକ ପାସ କରି ଚାକିରୀ ଅନ୍ବେଷଣରେ ଥିଲେ। ୨୦୨୦ ମସିହାରେ ପୁରୀ ଜିଲ୍ଲା ନିମାପଡା ଥାନା ଗଡଗଣ୍ଡିଆ ଗ୍ରାମର ସୁମିତ କୁମାର ରାଉତରାୟ (୩୬) କୌଣସି ସୂତ୍ରର ସୁଯୋଗ ନେଇ ରାହୁଲ ସହ ଯୋଗାଯୋଗ କରିଥିଲା ଏବଂ ଏନଟିପିସି ସମ୍ବଲପୁର କିମ୍ବା ଅନୁଗୁଳରେ କନିଷ୍ଠ ଯନ୍ତ୍ରୀ ଚାକିରୀ କରାଇଦେବାର ରାହୁଲକୁ ପ୍ରଲୋଭନ ଦେଖାଇଥିଲା। ଚାକିରୀ କରାଇଦେବା ବାବଦକୁ ସୁମିତ ମୋଟା ଅଙ୍କ(ଲକ୍ଷାଧିକ) ଟଙ୍କା ରାହୁଲ ଠାରେ ଦାବି କରିଥିଲା। ବେକାରିଥିବା ରାହୁଲ ଚାକିରୀ ପାଇବା ଆଶାରେ ସୁମିତର ଦାବି ପ୍ରକାରେ ନଗଦ ୪୬ ହଜାର ଟଙ୍କା ଏବଂ ପରବର୍ତ୍ତୀ ସମୟରେ ୨ ଲକ୍ଷ ଟଙ୍କାର ଏକ ଚେକ ଦେଇଥିଲେ। ସୁମିତ ଉକ୍ତ ଚେକ ମାଧ୍ୟମରେ ରାହୁଲର ଆକାଉଣ୍ଟରୁ ୨ ଲକ୍ଷ ଟଙ୍କା ଉଠାଣ କରି ସାରିବାପରେ ରାହୁଲ ସହ ସମସ୍ତ ଯୋଗାଯୋଗ ଛିନ୍ନ କରିଦେଇଥିଲା। ଫଳରେ ରାହୁଲ ଠକାମିର ଶିକାର ହୋଇଥିବା ଜାଣିପାରିଥିଲେ ଏବଂ ସେନେଇ ମନମୁଣ୍ଡା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଥାନାରେ ଏକ ମାମଲା ନଂ ୯୨/୨୦ ରୁଜୁ ହୋଇଥିଲା ଏବଂ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ହେଲେ ଅଭିଯୁକ୍ତ ପୁଲିସ ନଜରରୁ ସର୍ବଦା ଦୁରେଇ ରହୁଥିଲା ଓ ପୁଲିସ ମଧ୍ୟ ତାର କୌଣସି ଟେର ପାଇ ପାରୁ ନ ଥିଲା। ପୁଲିସ ଭୁବନେଶ୍ଵର ଅଂଚଳରେ ଅଭିଯୁକ୍ତର ମୋବାଇଲ ଟ୍ରାକିଂ ସହ ବିଭିନ୍ନ ପ୍ରକାରେ ଯୋଗସୂତ୍ର ସ୍ଥାପନ କରି ଭୁବନେଶ୍ଵରରୁ ଅଭିଯୁକ୍ତ ସୁମିତକୁ ଗିରଫ କରି ମନମୁଣ୍ଡା ଥାନାକୁ ଆଣିଥିଲେ। ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ଏବଂ ଉକ୍ତ ଘଟଣାରେ ଆଉ ଦୁଇ ଜଣ ଅଭିଯୁକ୍ତ ସମ୍ପୃକ ଥିବା ଜଣାପଡ଼ିଛି ଓ ପୁଲିସ ଏହାର ତଦନ୍ତ ଚଲାଇଛି ।