ଝାରସୁଗୁଡ଼ା – ରାସ୍ତା ମରାମତି ଦାବିରେ ଆଜି ଝାରସୁଗୁଡା ବିଜେପି ପକ୍ଷରୁ ଲହଣ୍ଡାବୁର ରାସ୍ତା ଅବରୋଧ କରାଯାଇଥିଲା। ଆଜି ସକାଳେ ବିଜେପିର ବରିଷ୍ଠ ନେତା ଦିନେଶ ଜୈନଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ମହିଳା ଓ ପୁରଷ କର୍ମୀ ପହଞ୍ଚି ଜାତୀୟ ରାଜପଥ ନଂ ୪୯ ରୁ ଲହଣ୍ଡାବୁର ଯାଇଥିବା ରାସ୍ତାକୁ ଅବରୋଧ କରିଥିଲେ।
ସେମାନଙ୍କ କହିବାନୁଯାୟୀ, ଗତ ୨୨ ତାରିଖ ଦିନ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ଦିଆଯାଇଥିଲା । ଏଥିରେ ସେମାନେ ଦାବି କରିଥିଲେ ଯେ, ଜାତୀୟ ରାଜପଥ ନଂ ୪୯ରୁ ଲହଣ୍ଡାବୁରକୁ ଯାଉଥିବା ରାସ୍ତାକୁ ମରାମତି, ଲହଣ୍ଡାବୁର ଠାରେ ଥିବା ଟିପିସିଏଲ କମ୍ପାନୀକୁ ଯାଉଥିବା ଭାରିଯାନକୁ ସମ୍ପୂର୍ଣ୍ଣ ବନ୍ଦ କରିବା, ଏହି ରାସ୍ତା ଦେଇ ଯାଉଥିବା ବାଲି ଟ୍ରକ୍ ଚଳାଚଳ ବନ୍ଦ କରିବା। ସେମାନେ ଏ ବିଷୟରେ ପ୍ରଶାସନକୁ ୭ ଦିନ ମଧ୍ୟରେ ପଦକ୍ଷେପ ନେବାପାଇଁ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ୭ ଦିନ ବିତିଗଲା ପରେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପ୍ରକାରର ପଦକ୍ଷେପ ନନେବାରୁ ଆଜି ବାଧ୍ୟ ହୋଇ ରାସ୍ତା ଅବରୋଧ କରିଥିବା କହିଛନ୍ତି। ଅବରୋଧ ସ୍ଥଳକୁ ଝାରସୁଗୁଡା ଥାନା ଅଧିକାରୀ ସାବିତ୍ରୀ ବଳ ପହଞ୍ଚି ରାସ୍ତାରୁ ହଟିବା ପାଇଁ ବୁଝାସୁଝା କରିଥିଲେ । ମାତ୍ର ସେମାନେ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ନପାଇବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ହଟିବ ନାହିଁ ବୋଲି ରୋକଠୋକ କହିଥିଲେ। ଦୀର୍ଘ ୫ ଘଣ୍ଟା ପରେ ପ୍ରଶାସନ ତରଫରୁ ଅତିରିକ୍ତ ତହସିଲଦାର ଗୋଲକ ବିହାରୀ ମଙ୍ଗରାଜ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଦାବିକୁ ମାନିବା ସହିତ ଶୀଘ୍ର ରାସ୍ତା ନିର୍ମାଣ କାମ ଆରମ୍ଭ ହେବା ନେଇ ପ୍ରତିଶ୍ରୁତି ଦେବା ପରେ ଅବରୋଧ ହଟିଥିଲା ।