ସମ୍ବଲପୁର, ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ଭବ୍ୟତା ଓ ବିବିଧତାର ସହିତ ଆୟୋଜନ ହେବାକୁ ଯାଉଛି କାଇଟ୍ ଫେଷ୍ଟିଭାଲ୍ – ୨୦୨୩ । ଜାତି, ଧର୍ମ, ବର୍ଣ୍ଣ, ଭାଷା ଓ ପ୍ରାନ୍ତୀୟ ବିଚାରଧାରାରୁ ଉର୍ଦ୍ଧ୍ବକୁ ଉଠି ସମସ୍ତେ ଏହି ଉତ୍ସବରେ ସାମିଲ ହେବାକୁ ଆହ୍ୱାନ ଦେଇଛି କାଇଟ୍ ଫେଷ୍ଟିଭାଲ୍ ଆୟୋଜକ ସମ୍ବଲପୁର ୟୁଥ୍ । ସ୍ଥାନୀୟ ତ୍ରିବେଣୀ ହୋଟେଲ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀରେ ସମ୍ବଲପୁର ୟୁଥ୍ ର କାର୍ଯ୍ୟକର୍ତ୍ତାଗଣଙ୍କ ଉପସ୍ଥିତରେ ସଂଗଠନର ସଭାପତି ରିକନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି ।
ସେ କହିଛନ୍ତି ଯେ, ଚଳିତ ବର୍ଷ ଜାନୁଆରୀ ୧୪ ଓ ୧୫ ଦୁଇଦିନ ଧରି କାଇଟ୍ ଫେଷ୍ଟିଭାଲ୍ ସ୍ଥାନୀୟ ଫୋର-ସି ଗ୍ରାଉଣ୍ଡ ଠାରେ ଆୟୋଜିତ ହେବ । ମକର ସଂକ୍ରାନ୍ତି କେବଳ ଓଡ଼ିଆ କିମ୍ବା କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳର ପର୍ବ ନୁହେଁ । ଭାରତ ବର୍ଷର ବିଭିନ୍ନ ପ୍ରାନ୍ତରେ ଏହି ଦିନଟିକୁ ଭନ୍ନ ଭିନ୍ନ ନାମରେ ଓ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରାଯାଇ ଆସୁଛି । ତେବେ ଚଳିତ ବର୍ଷ ବିଭିନ୍ନ ଭାଷାଭାଷୀ, ସଂସ୍କୃତି, ପରମ୍ପରା ଓ ବିଚାରଧାରାର ସଂଗଠନ ଓ ବ୍ୟକ୍ତି ବିଶେଷଙ୍କୁ ନେଇ ଆୟୋଜିତ ହେବାକୁ ଯାଉଛି କାଇଟ୍ ଫେଷ୍ଟିଭାଲ୍ ୨୦୨୩ । ଏହି ଅବସରରେ ଚଳିତ ବର୍ଷ ବିଭିନ୍ନ ପ୍ରକାରର ପ୍ରତିଯୋଗିତା, ନୃତ୍ୟ ସଙ୍ଗୀତ ସହ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ସାମିଲ କରାଯାଇଛି । ସମସ୍ତ ପ୍ରତିଯୋଗିତା ଗୁଡିକୁ ଜୁନିୟର, ସିନିୟର ବିଭାଗ ସହ ଗ୍ରୁପ ନୃତ୍ୟ ପ୍ରତିଯୋଗିତା, କାଇଟ୍ କ୍ରାଫ୍ଟ ପ୍ରତିଯୋଗିତା, ରଙ୍ଗୋଲି ପ୍ରତିଯୋଗିତା, ସେଲ୍ଫି ପ୍ରତିଯୋଗିତା ମଧ୍ୟ ହେବ । ଚଳିତ ବର୍ଷ ର ମୁଖ୍ୟ ଆକର୍ଷଣ ହେଉଛି ”ଡାନ୍ସ ବେଟେଲ୍” ଓ ”ଫେସନ ସୋ” କାର୍ଯ୍ୟକ୍ରମ । ଏଥିସହ ଜିଲ୍ଲାରେ ୨୦୨୨ ଏଚ୍ଏସ୍ ସି , ସିବିଏସଇ ଓ ଆଇସିଏସଇ ପରୀକ୍ଷାରେ ଶୀର୍ଷ ସ୍ଥାନ ଅଧିକାର କରିଥିବା କୃତି ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯିବ । ଶିକ୍ଷା ଓ ସ୍ଵଚ୍ଛତା ସେବାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତି ଓ ସଂଗଠନ ଗୁଡିକୁ ମଧ୍ୟ ସମ୍ମାନିତ କରାଯିବ ବୋଲି ସଙ୍ଗଠନ ପକ୍ଷରୁ ଘୋଷଣା କରାଯାଇଛି । ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ଓ ବିଚିତ୍ରା କାର୍ଯ୍ୟକ୍ରମ ମାନଙ୍କରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଭାଗ ନେବେ ।
ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁର ୟୁଥ୍ ର ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ସ୍ଵାଗତ ଭାଷଣ, ପରିଚୟ ପର୍ଵ ସମ୍ପାଦନ କରି କାଇଟ୍ ଫେଷ୍ଟିଭାଲ୍ ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ସାଂସ୍କୃତିକ ସଂଯୋଜକ ମାଷ୍ଟର ପ୍ରେମ କାଇଟ୍ ଫେଷ୍ଟିଭାଲ୍ ରେ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ । ଶେଷରେ ଅଭ୍ୟର୍ଥନା ସଂଯୋଜକ ସ୍ଵାଗତ ଘଡେଇ ଧନ୍ୟବାଦ ଅର୍ପଣ କରିଥିଲେ ।