ହରିଚନ୍ଦନପୁର, କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା କାଦୁଅଡିହା ଗ୍ରାମର ଜନୈକ ବ୍ୟକ୍ତି ଗତ ୨୦୦୦ ମସିହାରେ ଏ ଅଂଚଳର ବିଭିନ୍ନ ମେଟ୍ରିକ୍ ପରୀକ୍ଷା ହଲରେ ନକଲି ସ୍କ୍ୱାର୍ଡ ହୋଇ ଶିକ୍ଷକ ଓ ପରିକ୍ଷାର୍ଥୀଙ୍କୁ ଧମକ ଚମକ୍ ଦେବା ସହ ଚାନ୍ଦା ମାଗିବା ମାମଲାରେ ଜେଲ୍ ଦଣ୍ଡ ଭୋଗିଥିଲେ । ପରେ ନିଜକୁ ସଚ୍ଚୋଟ୍ ପ୍ରମାଣିତ କରିବା ଉଦ୍ଦେଶ୍ୟରେ କୌଶଳ କରି ଏକ ଦୈନିକ ଖବର କାଗଜରେ ସାମ୍ବାଦିକ ହୋଇଛନ୍ତି । ଜଣେ ଖବର କାଗଜ ବିକ୍ରେତା ସହ ନିଜକୁ ବଡ଼ ସାମ୍ବାଦିକ ବୋଲାଇ କାଗଜର ନାମକୁ ବିକି ଅନେକ ଗରିବ ଖଟିଖିଆଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବ୍ୟବସାୟୀ ଓ ଚାକିରୀଆଙ୍କୁ ବିଭିନ୍ନ ସମୟରେ ଧମକ ଚମକ୍ ଦେଇ ଚାନ୍ଦା ଆଦାୟ କରୁଥିବା ଅଭିଯୋଗ ହେଉଛି । ଏଥିସହ ମୁଖ୍ୟ କଥା ଅନେକ ସାପ କାମୁଡା, ପାଣିରେ ବୁଡି ମରିବା, ବଜ୍ରାଘାତରେ ମୃତ ଘଟିଥିବା ଗରିବ ଖଟିଖିଆ ପରିବାରର ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖେଇ ଡରାଇ ଧମକାଇ ପ୍ରଥମେ ନିଜ କବ୍ଚାକୁ ଆଣୁଛନ୍ତି ଏବଂ ପରେ ସେମାନଙ୍କ ଠାରୁ ଅର୍ଥ ଲୁଟୁଛନ୍ତି । ସେଥିମଧ୍ୟରୁ ଅନେକ ମୃତ ବ୍ୟକ୍ତିଙ୍କ ନାମରେ ସରକାରଙ୍କ ଠାରୁ ଆସୁଥିବା ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଜନସାଧାରଣ ଆଲୋଚନାର କେନ୍ଦ୍ର ବିନ୍ଦୁ ପାଲଟିଛି । ଏବେ କିନ୍ତୁ ମାଗୁର ଜାଲରେ ଶେଉଳ ପଡ଼ିବା ଭଳି ହରିଚନ୍ଦନପୁର ଦୋଳ କମିଟିକୁ ଜୋର୍ ଜବରଦସ୍ତ ଧମକ ଚମକ୍ ଦେଖାଇ ମୋଟା ଅଙ୍କର ଚାନ୍ଦା ମାଗିଥିଲେ । ହେଲେ କମିଟିର ସମସ୍ତ ସଦସ୍ୟ ଏକତ୍ରିତ ହୋଇ ଏକ ବୈଠକ କରି ଘଟଣା ସମ୍ପର୍କରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ଉଦ୍ଦେଶ୍ୟରେ ଥାନା ଅଧିକାରିଣୀ ଦେବକୀ ନାଏକଙ୍କ ଦ୍ୱାରସ୍ଥ ହୋଇ ଏକ ଲିଖିତ ଅଭିଯୋଗ କରିଥିଲେ । ଅନେକ ସମୟରେ ବିନା କାରଣରେ ଏହିଭଳି ସମସ୍ତଙ୍କୁ ଭୟଭିତ କରାଇ ସମ୍ପୃକ୍ତ ବ୍ୟକ୍ତ୍ି ହଜାର ହଜାର ଟଙ୍କା ଲୁଟୁଥିବା ନେଇ ଲିଖିତ ଅଭିଯୋଗ ପତ୍ରରେ ଦର୍ଶାଯାଇଛି । ଅଭିଯୋଗକୁ ଭିତି କରି ଘଟଣାର ସତ୍ୟତା ସମ୍ପର୍କରେ ଜାଣି ଥାନା କେଶ୍ ନମ୍ବର ୮/୨୦୨୩ ଆଇପିସି ଧାରା ୩୪୧, ୨୯୪, ୩୮୪, ୫୦୬ ମାମଲା ରୁଜୁ କରି ପୋଲିସ ଏ ବାବଦରେ ଅଧିକ ତଦନ୍ତ ଚଳାଇଥିବା ସୂଚନା ରହିଛି । ଅନ୍ୟପଟେ ଅଭିଯୋଗର ଦୀର୍ଘ ୪୦ ଘଂଟାରୁ ଉର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ମଧ୍ୟ ବର୍ତମାନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଥିବା ଯୋଗୁଁ ଅଭିଯୋଗକାରୀଙ୍କ ଚିନ୍ତା ବଢ଼ିଥିବା ବେଳେ କେବେ ଅଭିଯୁକ୍ତ ଗିରଫ ହେବ ସେନେଇ ଉଠିଛି ପ୍ରଶ୍ନ । ଜିଲ୍ଲା ପୋଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ଘଟଣାର ତଦନ୍ତ କରାଇ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଂଚଳବାସୀ ଓ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।