ଭୁବନେଶ୍ୱର – ଆସନ୍ତାକାଲି (ରବିବାର)ଠାରୁ ୩୦ତମ କୋଣାର୍କ ଉତ୍ସବ ଆରମ୍ଭ ହେବ । ୫ ତାରିଖ ପର୍ଯ୍ୟନ୍ତ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରଠାରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ତରଫରୁ ଚାଲିବାକୁ ଥିବା ଏହି ଉତ୍ସବରେ ପ୍ରତ୍ୟହ ସନ୍ଧ୍ୟା ମୁକ୍ତାକାଶ ରଙ୍ଗମଂଚରେ କୋଣାର୍କ ନୃତ୍ୟୋତ୍ସବର ଆୟୋଜିତ ହେବ । ଏହା ବ୍ୟତୀତ ଚନ୍ଦ୍ରଭାଗାର ପ୍ରଶସ୍ତ ବେଳାଭୂମିରେ ଆନ୍ତର୍ଜାତିକ ବାଲୁକାକଳାର ଆୟୋଜିତ ହେବ ।
ଏହି ଉତ୍ସବରେ ବହୁ ପ୍ରତିଭାବାନ୍ ନୃତ୍ୟ ବିଶାରଦ ପ୍ରାୟ ଶାସ୍ତ୍ରୀୟ ନୃତ୍ୟର କଳାକାରବୃନ୍ଦ ଓଡ଼ିଶୀ, ଭାରତନାଟ୍ୟମ, କଥକ, କୁଚିପୁଡ଼ି, ମୋହିନି ଆଟ୍ଟମ ଏବଂ ଏବର୍ଷର ବିଶେଷ ଆକର୍ଷଣ ଇଣ୍ଡୋନେସିଆର ବାଲିନିଜ୍ ଦଳଗତ ନୃତ୍ୟ ପ୍ରଦର୍ଶନ କରିବେ ।
ସେହିପରି କୋଣାର୍କ ସୂର୍ଯ୍ୟ ମନ୍ଦିରଠାରୁ ୩ କି.ମି. ଦୂରରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ପର୍ଯ୍ୟଟନ ବିଭାଗର ବ୍ରାଣ୍ଡ ଆମ୍ବାସଡ଼ର ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚନ୍ଦ୍ରଭାଗାର ପ୍ରଶସ୍ତ ବେଳାଭୂମିରେ ଆନ୍ତର୍ଜାତିକ ବାଲୁକାକଳାର ଆୟୋଜନ କରାଯାଉଛି । ଏହି ଉତ୍ସବ ପ୍ରତ୍ୟହ ପୂର୍ବାହ୍ନ ୧୦ ଘଟିକା ଠାରୁ ରାତି ୧୦ ଘଟିକା ପର୍ଯ୍ୟନ୍ତ ପ୍ରଦର୍ଶିତ ହେବ । ଏହି ବିଶ୍ୱବ୍ୟାପି ପ୍ରତିଯୋଗିତାରେ ୧୨୩ ଜଣ ପ୍ରତିଯୋଗୀ ପାଂଚଦିନ ପର୍ଯ୍ୟନ୍ତ ନିଦ୍ଧିଷ୍ଟ ଘଟଣା ଉପରେ ଆଧାରିତ ବାଲୁକା ଚିତ୍ରକଳା ପ୍ରଦର୍ଶନ କରିବେ । ଚଳିତ ବର୍ଷ ଯୁକ୍ତରାଷ୍ଟ୍ର ଆମେରିକା, ଆୟରଲାଣ୍ଡ, ଡେ଼ନମାର୍କ, ଋଷିଆ, କାନାଡ଼ା, ଟଗୋ ଓ ଶ୍ରୀଲଙ୍କା ଆଦି ଦେଶମାନଙ୍କରୁ ପ୍ରତିଭାବାନ ବାଲୁକାଶିଳ୍ପୀମାନେ ଅଂଶ ଗ୍ରହଣ କରିବେ । ସେହିପରି ଦେଶ ଭିତରରୁ ଯଥା ରାଜସ୍ଥାନ, ମହାରାଷ୍ଟ୍ର, ଗୁଜୁରାଟ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗ ସହିତ ଓଡ଼ିଶାରୁ ଖ୍ୟାତିନାମା ବାଲୁକାକଳା ଶିଳ୍ପିମାନେ ଅଂଶଗ୍ରହଣ କରିବେ ।
ଏହା ବ୍ୟତୀତ ଚନ୍ଦ୍ରଭାଗା ନିକଟରେ ଏକ ଆକର୍ଷଣୀୟ ହସ୍ତଶିଳ୍ପ ମେଳା ଅନୁÂିତ ହେବ । ଏହି ମେଳାରେ ବିଭିନ୍ନସ୍ଥାନର ସୁନ୍ଦର ସ୍ଥପତିମାନେ ସେମାନଙ୍କ ଦ୍ୱାରା ନିର୍ମିତ ଭିନ୍ନ ଭିନ୍ନ ସୁନ୍ଦର ହସ୍ତଶିଳ୍ପ ପ୍ରଦର୍ଶନ କରିବେ ।
ଅନ୍ୟପକ୍ଷରେ କୋଣାର୍କ ଉତ୍ସବକୁ ସଫଳ କରିବା ପାଇଁ ଆଜି କୋଣାର୍କରେ ମିନି ସାଇକ୍ଳୋଥନ ଆୟୋଜନ କରାଯାଇଥିଲା । ପର୍ଯ୍ୟଟନ ବିଭାଗ ଓ ପ୍ରେରଣା ଇଂଟରନ୍ୟାସନାଲ ଗ୍ରୀନ ଆର୍ମୀ ସହଯୋଗରେ ଏହି ପ୍ରିତିଯୋଗିତା ଆୟୋଜନ କରାଯାଇଛି । କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରୁ ମାଆ ରାମଚଣ୍ଡୀ ପୀଠ ପର୍ଯ୍ୟନ୍ତ କୋଣାର୍କ ମିନି ସାଇକ୍ଳୋଥନ କରାଯାଇଥିଲା । ସାଇକ୍ଳୋଥାନରେ କଲେଜ ଛାତ୍ରଛାତ୍ରୀ, ବିଭିନ୍ନ ଅନୁÂାନର ଶତାଧିକ ଯୁବକ-ଯୁବତୀ ଓ ସ୍ଥାନୀୟ ଲୋକ ସାଇକେଲ ସଚେତନତା ରାଲିରେ ଯୋଗଦେଇଥିଲେ । ରାଜ୍ୟ ଯୁବ, କ୍ରିଡା ଓ ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା ପତାକା ଦେଖାଇ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସମାଜସେବୀ ଦିଲୀପ ଶ୍ରୀଚନ୍ଦନଙ୍କୁ ସବୁଜ ବିପ୍ଳବୀ, ବିଜୟ ସେଠୀଙ୍କୁ ଆଦର୍ଶ ଶିକ୍ଷକ, ବିଜୟ ସ୍ୱାଇଁଙ୍କୁ ବିଶିଷ୍ଟ ସମାଜସେବୀ, ପ୍ରକାଶ ତ୍ରିପାଠୀଙ୍କୁ ବିଶିଷ୍ଟ ସ୍ତମ୍ଭକାର ସମ୍ମାନ ଏବଂ ଆଶୁତୋଷ ବରାଳଙ୍କୁ ଉଦୀୟମାନ ଯୁବକ ସମ୍ମାନରେ ସମ୍ମାନିତ କରାଯାଇଛି ।