
ମାଲକାନଗିରି, ମାଲକାନଗିରି ଜିଲ୍ଲାର ଜଣେ ନାବାଳିକାଙ୍କୁ ଜୋରଜବରଦସ୍ତ ବିବାହ କରିବା ଅଭିଯୋଗରେ ଯୁବକଙ୍କୁ ଆଜୀବନ କାରାଦଣ୍ଡ ସହ୧ ଲକ୍ଷ ୭୦ ହଜାର ଟଙ୍କା ଜୋରିମାନା ଦେବାକୁ ଅଦାଲତ ନିର୍ଦେଶ ଦେଇଛନ୍ତି ।
ମାଲକାନଗିରି ଜିଲା ଓର୍କେଲ ଥାନା ବୁଟିଗୁଡା ଅଞ୍ଚଳରେ ୨୦୧୮ ଅପ୍ରେଲ ୯ ତାରିଖରେ ୧୪ ବର୍ଷର ଜଣେ ନାବାଳିକା ନିଖୋଜ ଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳି ନ ଥିଲା । ଏହାକୁ ନେଇ ସେହି ମାସ ୨୩ ତାରିଖରେ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ନାବାଳିକାଙ୍କ ଘର ନିକଟରେ ମାଦ୍ରୀ ଅନିଲ ନାମକ ଯୁବକ ଆସି ରହୁଥିଲେ । ସେ ହିଁ ନାବାଳିକାଙ୍କୁ ଅପହରଣ କରିଥିବା ଜଣାପଡ଼ିଥିଲା । ଅନିଲ ପ୍ରଥେମ ନାବାଳିକାଙ୍କୁ ପ୍ରେମ ନିବେଦନ କରିଥିଲେ । ନାବାଳିକା ଜଣକ ଏଥିରେ ରାଜି ହୋଇନଥିଲେ । ପରେ ନାବାଳିକାଙ୍କୁ ଜୋରଜବରଦସ୍ତ ଉଠାଇ ନେଇ ନିଜ ଘରେ ଅନିଲ ବିବାହ କରିଥିଲା । ପରେ ନାବାଳିକାଙ୍କୁ ଆନ୍ଧ୍ରର ଏକ ସ୍ଥାନକୁ ନେଇଯାଇଥିଲା । ନାବାଳିକାଙ୍କ ପରିବାର ଲୋକେ ଗିରକାନପାଲ୍ଲୀ ଗ୍ରାମକୁ ଯାଇଥିଲେ । ନାବାଳିକା ଝିଅକୁ ଫେରାଇ ଦେବାକୁ ଅନିଲଙ୍କୁ ଅନୁରୋଧ କରିଥିଲେ । ଏହାର କୌଣସି ସୁଫଳ ମିଳି ନ ଥିଲା । ଏହି ଘଟଣା ସମ୍ପର୍କରେ ନାବାଳିକାଙ୍କ ପରିବାର ଲୋକେ ପୁଲିସକୁ ଜଣାଇବା ପରେ ତତ୍କାଳୀନ ପୁଲିସ ଏସଆଇ ସନ୍ତୋଷିନୀ ବାରିକ ଘଟଣାର ତଦନ୍ତ କରିଥିଲେ । ଅନିଲକୁ ଗିରଫ କରି ଅଦାଲତ ଚାଲାଣ କରିଥିଲେ ଏବଂ ନାବାଳିକାଙ୍କୁ ଉଦ୍ଧାର କରିଥିଲେ । ଏହି ମାମଲାର ଶୁଣାଣି କରି ମାଲକାନଗିରି ଅତିରିକ୍ତ ଜିଲା ଦୌରାଜଜ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଗତକାଲି ଅନିଲଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହିତ ସେ ୧ ଲକ୍ଷ ୭୦ ହଜାର ଟଙ୍କା ଜୋରିମାନା ଦେବାକୁ ଅଦାଲତ ଆଦେଶ ଦେଇଛନ୍ତି । ଏହି ମାମଲାକୁ ସରକାରୀ ପି.ପି. ଲମ୍ବୋଦର ତୁରୁକ ପରିଚାଳନା କରୁଥିଲେ ।