
ଭଦ୍ରକ – ଉପକୂଳ ରାଜପଥ ନିର୍ମାଣ ଏବେ ସଂକଟରେ । ବାରମ୍ବାର ବିଜ୍ଞପ୍ତି ବାତିଲ ଏବଂ ଏହି ବିଜ୍ଞପ୍ତି ବାତିଲ ପାଇଁ ୩୦ ଲକ୍ଷ ଟଙ୍କାର ଆର୍ଥିକ ବୋଝ ପରେ ଏହି ରାଜପଥର ଦିଗ ବି ପରିବର୍ତନ ହୋଇଯାଇଛି । ଚାନ୍ଦବାଲି ବଦଳରେ ଆଳି ଓଳାବର ଦେଇ ଏହା ଗତି କରିବ । ତେଣୁ ଚାନ୍ଦବାଲିକୁ ନେଇ ଯେଉଁ ସ୍ୱପ୍ନ ଦେଖାଯାଇଥିଲା, ତାହା ଏବେ ମଉଳି ଯିବାକୁ ବସିଛି । ମିଳିଥିବା ତଥ୍ୟ ଅନୁଯାୟୀ ଗୋପାଳପୁରରୁ ଦୀଘା ଯାଏଁ ସମୁଦ୍ର ଉପକୂଳ ରାଜପଥ ନିର୍ମାଣ ପାଇଁ ୪୫୧ କିଲୋମିଟର ପଥ ଚୟନ କରାଯାଇଥିଲା । ଏହାମଧ୍ୟରେ ଭଦ୍ରକ ଜିଲାର ୫୩ କିଲୋମିଟର ପଥ ମଧ୍ୟ ଚିହ୍ନଟ ହୋଇଥିଲା । ଗୋପାଳପୁରରୁ ଏହା ଦୀର୍ଘ ପର୍ଯ୍ୟନ୍ତ ଯିବାବେଳେ ଭଦ୍ରକ ଜିଲାର ଚାନ୍ଦବାଲି ଓ ବାସୁଦେବପୁର ବ୍ଲକ୍ ସୀମାରେ ଗତି କରିବ । ଏଥିପାଇଁ ୫୩ କିଲୋମିଟର ଲମ୍ବର ଜମି ଭଦ୍ରକ ଜିଲାରୁ ଅଧିଗ୍ରହଣ ହେବ । ଉପକୂଳ ରାଜପଥ ନିର୍ମାଣ ପ୍ରଥମ ପାହାଚରୁ ସଂକଟ ଦେଖା ଦେଇଥିଲା । ଜମି ଅଧିଗ୍ରହଣ ପୂର୍ବରୁ ବଦଳିଗଲା ଏହି ଯୋଜନା । ଏହି ଯୋଜନା ବଦଳିଯିବା କାରଣରୁ ଭଦ୍ରକ ଜିଲାର ଚାନ୍ଦବାଲି ଓ ବାସୁଦେବପୁର ବ୍ଲକ୍ରେ ୨୬ ବଦଳରେ ୩୧ଟି ରାଜସ୍ୱ ଗ୍ରାମରେ ଜମି ଅଧିଗ୍ରହଣ ହେବ ବୋଲି ପରିବର୍ତିତ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି ବିଜ୍ଞପ୍ତି ପାଇଁ ୩୦ ଲକ୍ଷରୁ ଅଧିକ ଟଙ୍କାର ଆର୍ଥିକ ବୋଝ ବହନ କରିବାକୁ ହେଲୋ । ଗୋଟିଏ ବର୍ଷ ତଳେ କେନ୍ଦ୍ର ସରକାରଙ୍କ ସଡକ ପରିବହନ ଓ ଜାତୀୟ ରାଜପଥ ଯୋଜନାରେ କାର୍ଯ୍ୟକାରୀ ହୋଇଥିଲା ଭାରତମାଳା ପରିଯୋଜନା । ସାରା ଦେଶରେ ବିସ୍ତୃତ ସମୁଦ୍ର ଉପକୂଳରେ ରାଜପଥ ନିର୍ମାଣ ହେବା ଏହି ଯୋଜନାରେ ବ୍ଲୁ-ପି୍ରଂଟ ପ୍ରସ୍ତୁତ ହୋଇଥିଲା । ସମଗ୍ର ଦେଶରେ ୮୩ ହଜାର ୬୭୭ କିଲୋମିଟର ରାଜପଥ ନିର୍ମାଣ ହେବା ପାଇଁ ଏହି ବ୍ଲୁ-ପି୍ରଂଟରେ ସ୍ଥାନ ପାଇଥିଲାବେଳେ ଓଡ଼ିଶାରେ ଗୋପାଳପୁରରୁ ଦୀଘା ଯାଏ ୪୫୧ କିଲୋମିଟର ଲମ୍ବର ଉପକୂଳ ରାଜପଥ ନିର୍ମାଣ ପାଇଁ ମଧ୍ୟ ନକ୍ସା ତିଆରି ହେଲା । ଏହି ପରିକଳ୍ପନା ଓ ନକ୍ସାରେ ଭଦ୍ରକ ଜିଲାର ଦୁଇଟି ବ୍ଲକ୍ ସ୍ଥାନ ପାଇଲା । ଚାନ୍ଦବାଲି ବ୍ଲକ୍ର କନ୍ଧା ଠାରୁ ବୈତରଣୀ କୂଳେ କୂଳେ ଏହି ରାଜପଥ ନିର୍ମାଣ ଆରମ୍ଭ ହୋଇ ବାସୁଦେବପୁର ବ୍ଲକ୍ର ମନ୍ଦାରି ଓ ରାଧାମୋହନପୁର ଦେଇ ବାଲେଶ୍ୱର ଆଡକୁ ଏହା ଲମ୍ବିବା ବେଳେ ଭଦ୍ରକ ଜିଲାର ୫୩ କିଲୋମିଟର ପରିସରରେ ଜମି ଅଧିଗ୍ରହଣ ହେବ ବୋଲି ମଧ୍ୟ ଫାଇଲ୍ ପ୍ରସ୍ତୁତ ହୋଇଥିଲା । ଏହି ରାଜପଥ ଆଉ ଚାନ୍ଦବାଲି ଦେଇ ଯିବନି । ଏହା ଆଳି ଓଳାବର ଦେଇ ଆସିବ । ପ୍ରଥମେ ୬୦ ମିଟର ଚଉଡା ବିଶିଷ୍ଟ ଏହି ରାଜପଥ ନିର୍ମାଣ ହେବ ବୋଲି ନକ୍ସା ପ୍ରସ୍ତୁତି ହେବା ସହ ଚାନ୍ଦବାଲି ବ୍ଲକ୍ର ୧୬ ଟି ଓ ବାସୁଦେବପୁର ବ୍ଲକ୍ର ୧୦ ଟି ରାଜସ୍ୱ ଗ୍ରାମରେ ଜମି ଅଧିଗ୍ରହଣ ହେବ ବୋଲି ଚୂଡାନ୍ତ ହେଲା । ଏବେ ଚାନ୍ଦବାଲି ବ୍ଲକ୍ରେ ୧୬ ଟି ବଦଳରେ ମାତ୍ର ଦୁଇ ତିନୋଟି ରାଜସ୍ୱ ଗ୍ରାମର ସୀମା ଛୁଇଁବ । ଭଦ୍ରକ ଜିଲାରୁ ୧୪୪ ହେକ୍ଟର ଜମି ଅଧିଗ୍ରହଣ ହେବା ପାଇଁ ୨୦୧୮ ଜୁନ୍ ୧୧ ତାରିଖରେ ସରକାରଙ୍କ ପକ୍ଷରୁ ୩ (କ) ଧାରାରେ ଜମି ଅଧିଗ୍ରହଣ ପାଇଁ ବିଜ୍ଞପ୍ତି ମଧ୍ୟ ଜାରି ହେଲା । ବିଡମ୍ବନା ହେଲା ଏହି ଜମି ଅଧିଗ୍ରହଣ ପୂର୍ବରୁ ଏହି ବିଜ୍ଞପ୍ତିକୁ ବାତିଲ ମଧ୍ୟ କରିଦିଆଗଲା । ପ୍ରଥମ ବିଜ୍ଞପ୍ତି ବାତିଲ ପରେ ଦ୍ୱିତୀୟ ପରିବର୍ଦ୍ଧିତ ବିଜ୍ଞପ୍ତି ଜାରି ହେଲା ୨୦୧୮ ନଭେମ୍ବରରେ । ଏହି ପରିବର୍ଦ୍ଧିତ ବିଜ୍ଞପ୍ତିରେ ଜିଲାର ୧୪୪ ହେକ୍ଟର ଜମି ଅଧିଗ୍ରହଣ ବଦଳରେ ତା ୧୪୦ ହେକ୍ଟର ଜମି ଅଧିଗ୍ରହଣ ହେବ ବୋଲି ଚୂଡାନ୍ତ ହେଲା । ଖାଲି ସେତିକି ନୁହଁ – ୨୬ ଟି ରାଜସ୍ୱ ଗ୍ରାମ ବଦଳରେ ୩୧ଟି ରାଜସ୍ୱ ଗ୍ରାମକୁ ଚିହ୍ନଟ ହେଲା । ଚାନ୍ଦବାଲି ବ୍ଲକ୍ର ୧୬ ଟି ବଦଳରେ ୨୧ ଟି ରାଜସ୍ୱ ଗ୍ରାମ ଓ ପୂର୍ବ ପରି ଏବେ ୧୪୦ ହେକ୍ଟର ବଦଳରେ ୧୧୧ ହେକ୍ଟରକୁ ଖସିଆସିଛି । ବାସୁଦେବପୁର ବ୍ଲକ୍ରେ ୧୦ ଟି ରାଜସ୍ୱ ଗ୍ରାମର ନାଁ ପରିବର୍ଦ୍ଧିତ ବିଜ୍ଞପ୍ତିରେ ତାଲିକାଭୁକ୍ତ ହେଲା । ବିଶେଷକରି ଜମି ଅଧିଗ୍ରହଣ କ୍ଷେତ୍ରରେ ସମସ୍ୟା ଏବେ ମୁଣ୍ଡ ଟେକିଛି । କାରଣ ସରକାରୀ ଜମି ଏବେ ଜବରଦଖଲର ସୀମା ଟପିଛି । ଏହି ଜବରଦଖଲକୁ ଅଧିଗ୍ରହଣ କରୁ କରୁ ସମୟ ଗଡିଯିବ ।