ଭୁବନେଶ୍ୱର- ବିଧାନସଭାରେ ଓଡିଶା ଦ୍ରବ୍ୟ ଓ ସେବାକର ଅଧିନିୟମ ୨୦୧୭କୁ ଅଧିକତର ସଂଶୋଧନ କରିବାପାଇଁ ଆଗତ ବିଲ୍ ବୁଧବାର ପାରିତ ହୋଇଛି । ସଂଶୋଧିତ ବିଲ୍ ଓଡିଶା ଦ୍ରବ୍ୟ ଓ ସେବା କର (ସଂଶୋଧନ)ବିଧେୟକ , ୨୦୧୯ ଦ୍ୱାରା ଉଭୟ ଦ୍ରବ୍ୟ ଓ ସେବାର ରେଜିଷ୍ଟ୍ରୀକୃତ ଯୋଗାଣକାରୀମାନଙ୍କ ନିମନ୍ତେ ଯୋଜନାର ପରିସରକୁ ବୃଦ୍ଧି କରାଯିବ । ଅପରପକ୍ଷରେ ବିଲ୍ ସମ୍ପର୍କିତ ଆଲୋଚନାରେ ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ଶ୍ରୀ ନିରଂଜନ ପୂଜାରୀ ଦେଇଥିବା ଉତରରେ ଅସନ୍ତୋଷ ପ୍ରକାଶ କରି ବିଜେପି ସଭ୍ୟମାନେ କକ୍ଷତ୍ୟାଗ କରିଥିଲେ ।
ମନ୍ତ୍ରୀ କହିଥିଲେ ଯେ ଅର୍ଥମନ୍ତ୍ରୀଙ୍କୁ ନେଇ ଗଠିତ ହୋଇଥିବା ଜିଏସଟି କାଉନସିଲ ବୈଠକର ନିଷ୍ପତି ଅନୁଯାୟୀ ଏହି ସଂଶୋଧନ ବିଲ୍ ଅଣାଯାଇଛି । ଏହି ବିଲ୍ ଆଲୋଚନାରେ ନରସିଂହ ମିଶ୍ର , ପ୍ରଫୁଲ୍ଲ ସାମଲ , ବିଷ୍ଣୁ ସେଠୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ବିରୋଧୀ ଦଳ ସଦସ୍ୟମାନେ କହିଥିଲେ ଯେ ଏହାକୁ ତରବରିଆ ଭାବେ ଗ୍ରହଣ କରାନଯାଉ । ଏହି ବିଲ୍ ର ମୂଳ କପି ଆମେ ଦେଖିନାହୁଁ । ସେ କ୍ଷେତ୍ରରେ ବିଲ୍ ପାରିତ କରାଇବା ଠିକ୍ ହେଉନାହିଁ ।