
କେନ୍ଦୁଝର, ମରିବୁ ପଛେ ଇଚେଂ ହେଲେ ଜମି ଦେବୁ ନାହିଁ । ଏହି ଦୃଢୋକ୍ତି ଥିଲା ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାରେ ସ୍ଥାପିତ ଆରଡେନ୍ଟ ଷ୍ଟିଲ କାରଖାନାକୁ ନିଜ ଜମି ହସ୍ତାନ୍ତର କରି ପ୍ରତାରିତ ହୋଇଥିବା ଜମିହରା ପ୍ରଜାଙ୍କର । କେନ୍ଦୁଝରରେ ପ୍ରତିଷ୍ଠିତ ଆରଡେନ୍ଟ ଷ୍ଟିଲ କାରଖାନର ସଂପ୍ରସାରଣକୁ ଜମିହରା ପ୍ରଜାଙ୍କ ପକ୍ଷରୁ ଘୋର ବିରୋଧ କରାଯାଇଛି । କମ୍ପାନୀ ଆମକୁ ବର୍ଷ ବର୍ଷ ଧରି ଧୋକା ଦେଇଛି । ଆମେ ମରିବୁ ପଛେ କମ୍ପାନୀକୁ ଇଚେଂ ହେଲେ ବି ଜାଗା ଛାଡିବୁ ନାହିଁ । ଏଭଳି ନିର୍ଦ୍ଦିଷ୍ଟ ଅଭିଯୋଗ ଧରି ଜିଲ୍ଲାପାଳଙ୍କୁ ଭେଟିଛନ୍ତି । ଫୁଲଝର ଗ୍ରାମ ଓ ଆଖ ପାଖ ଅଚଂଳର ଶହ ଶହ ଆଦିବାସୀ ପୁରୁଷ ଓ ମହିଳା ପ୍ରଜା ।
କେନ୍ଦୁଝର ଜିଲ୍ଲାର ଆଦିବାସୀ ବହୁଳ ବାଂଶପାଳ ବ୍ଳକର ଫୂଲଝର ଗ୍ରାମ ପଂଚାୟତରେ ୨୦୦୮ ବର୍ଷରେ ପ୍ରତିଷ୍ଠା ହୋଇଥିଲା ଆରଡେନ୍ଟ ଷ୍ଟିଲ କମ୍ପାନୀର କାରଖାନା । ପ୍ରଥମ ଦଫାରେ କମ୍ପାନୀ ୦.୮୫ ମେଟ୍ରିକ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ କାରଖାନା ପ୍ରତିଷ୍ଠା କରିଥିଲା । କାରଖାନା ନିର୍ମାଣ ପୂର୍ବରୁ କାରଖାନା ପ୍ରତିଷ୍ଠା ହେଲେ ଅଚଂଳବାସୀଙ୍କର ଆର୍ଥିକ ଉନ୍ନତି ହେବ । ଅଂଚଳବାସୀଙ୍କୁ ଚାକିରୀ ସହ କାମ ମିଳିବ । ଅଂଚଳର ଅନେକରୁ ଅନେକ ଉନ୍ନତି ହେବ । ଏଭଳି ଅନେକ ସୁନେଲୀ ସ୍ଵପ୍ନ ଦେଖାଇ କମ୍ପାନୀ ଅଂଚଳବାସୀଙ୍କ ଠାରୁ ଶାଗ ମାଛ ଦରରେ ମୂଲ୍ୟବାନ ଜମି ହାତେଇ ନେଇଥିଲା । ଏବଂ କାରଖାନା ମଧ୍ୟ ପ୍ରତିଷ୍ଠା କଲା । କାରଖାନା ସ୍ଥାପନ ପରେ ପରେ ବେଶ୍ ଭଲ ମୁନାଫା କମାଇ ଚାଲିଲା କମ୍ପାନୀ । ହେଲେ ଜମିହରା ଲୋକଙ୍କୁ ଦେଇଥିବା ପ୍ରତିଶୃତିକୁ ସଂପୁର୍ଣ୍ଣ ଭୁଲିଗଲେ । ଅଂଚଳର କିଛି ହାତ ଗଣିତ ଲୋକଙ୍କୁ ଚାକିରି ଦେଇ ବାହାର ଅଂଚଳରୁ ନିଜ ମନ ପସନ୍ଦର ଅନ୍ୟ ସମସ୍ତ କର୍ମଚାରୀ ଆଣି ନିଯୁକ୍ତି ଦେବା ସହ ବିଭିନ୍ନ କାମ ମଧ୍ୟ ଦେଲେ । ଏବଂ ଏପଟେ କିଛି ଦିନ ଚାକିରିରେ ରଖିବା ପରେ ଅଂଚଳର ସେହି ଚାକିରିଆଙ୍କୁ କମ୍ପାନୀ ବାହାର ରାସ୍ତା ଦେଖାଇ ଦେଲା । ଏ ନେଇ ଅତିରିକ୍ତ ଲେବର କମିଶନର କିମ୍ବା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମଧ୍ୟ କମ୍ପାନୀ ଅଣଦେଖା କରିଆସୁଥିବା ଅଂଚଳବାସୀ ସିଧାସଳଖ ଅଭିଯୋଗ ଆଣିଛନ୍ତି । ଅଥଚ ଅପରପକ୍ଷେ ଅଂଚଳବାସୀ କାରଖାନାରୁ ନିର୍ଗତ ବିଷାକ୍ତ ଧୂଆଁ ଓ କାରଖାନାକୁ ଯାତାୟତ କରୁଥିବା ମାଲବାହୀ ଯାନଗୁଡିକ ଦ୍ୱାରା ସୃଷ୍ଟି ପ୍ରଦୂଷଣ ଓ ଧୂଳିରେ ଅଣନିଶ୍ଵାସୀ ହେବା ସହ ଶ୍ଵାସ, ଚର୍ମ, ଆଖି ଭଳି ବିଭିନ୍ନ ରୋଗରେ ପୀଡିତ ହେଉଛନ୍ତି ।
ଏପରିକି କାରଖାନା ଆଦିରୁ ନିର୍ଗତ ବିଷାକ୍ତ ଧୂଆଁ ସାଙ୍ଗକୁ ଧୂଳି ଲୋକମାନଙ୍କର ଚାଷ ଜମି ଉପରେ ଆସ୍ତରଣ ଭାବେ ଜମି ରହୁଛି, ଯଦ୍ଵାରା ଚାଷ ଜମି ଗୁଡିକର ଉର୍ବରତା ହ୍ରାସ ପାଉଛି । ଫଳରେ ଲୋକଙ୍କର ଚାଷ ନଷ୍ଟ ହେଲାଣି । କମ୍ପାନୀର ପ୍ରତାରଣାର ଶୀକାର ହୋଇ ଆସିଥିବା ଅଂଚଳବାସୀ ଏବେ କାରଖାନା ସଂପ୍ରସାରଣ ହେଲେ ମଧ୍ୟ ସେମାନେ ଇଂଚେ ହେଲେ ବି ଜମି ଦେବେ ନାହିଁ ବୋଲି ଜିଦ୍ ଧରିଥିବା ବେଳେ କମ୍ପାନୀ ଜମି ହାତେଇବାକୁ ପୋଲିସକୁ ହାତକରି ପୋଲିସ ମାଧ୍ୟମରେ ସେମାନଙ୍କୁ ଭୟଭୀତ କରୁଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ସେମାନେ ଜିଲାପାଳଙ୍କ ନିକଟରେ ଗୁହାରୀ କରି ସେମାନଙ୍କୁ ନ୍ୟାୟରୁ ବଂଚିତ ନକରିବାକୁ ଅନୁରୋଧ କରିଛନ୍ତି । କିନ୍ତୁ, ବର୍ତମାନର ଶାସନ ଓ ପ୍ରଶାସନର ବ୍ୟବସ୍ଥା ମଧ୍ୟରେ ସେହି ନିରୀହ ଅଂଚଳବାସୀ ସତରେ ନ୍ୟାୟ ପାଉଛନ୍ତିକି ନାହିଁ ତାହା ଦେଖିବାକୁ ବାକି ରହିଲା ।