
ପୁରୀ, ଶ୍ରୀମନ୍ଦିର ଡ୍ରୋନ୍ ଭିଡ଼ିଓ ଭାଇରାଲ୍ ଘଟଣାରେ ଗଣମାଧ୍ୟମ ନିକଟରେ ନିଜର ପ୍ରତିକ୍ରିୟା ରଖି ଏସପି କେ. ବିଶାଲ ସିଂ କହିଛନ୍ତି ଯେ, ସିଂହଦ୍ଵାର ଥାନାରେ ମାମଲା ରୁଜ୍ଜୁ ହୋଇଛି । ଅଭିଯୁକ୍ତଙ୍କୁ ଏନେଇ ନୋଟିସ୍ ଜାରି ହୋଇଛି । ତଦନ୍ତ ପାଇଁ ଅଭିଯୁକ୍ତଙ୍କୁ ପୁରୀ ଡକାଯାଇଛି । ତାଙ୍କ ବୟାନ ସଂଗ୍ରହ କରାଯିବ । ଅଭିଯୁକ୍ତ ଯଦି ନିୟମ ଉଲ୍ଲଙ୍ଘନ କରିଥାନ୍ତି, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି । ଡିଏସପି ର୍ୟାଙ୍କ ର ଅଧିକାରୀ ତଦନ୍ତର ମନିଟରିଂ କରୁଛନ୍ତି ।
ପ୍ରକାଶ ଥାଉକି, ସମ୍ପୃକ୍ତ ୟୁଟ୍ୟୁବରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ଶ୍ରୀମନ୍ଦିରକୁ ଉପଯୁକ୍ତ ସୁରକ୍ଷା ଦାବି କରି ଭଏସ୍ ଅଫ୍ କମନ୍ ମ୍ୟାନ୍ ଓ ଶ୍ରୀଜଗନ୍ନାଥ ଐତିହ୍ୟ ଓ ସାଂସ୍କୃତିକ ପରିଷଦ ପକ୍ଷରୁ ୟୁଟ୍ୟୁବର ପଶ୍ଚିମବଙ୍ଗର ଅନିମେଶ ଚକ୍ରବର୍ତିଙ୍କ ବିରୋଧରେ ସିଂହଦ୍ଵାର ଥାନାରେ ଏତଲା ଦାୟର ହୋଇଥିଲା । ଏତଲାକୁ ଭିତି କରି ପୋଲିସ ମାମଲା ରୁଜ୍ଜୁ କରିଥିଲା । ଅନ୍ୟପକ୍ଷରେ ଶ୍ରୀମନ୍ଦିର ଭିଡ଼ିଓ ଭାଇରାଲ୍ ହେବା ପରେ ନିଜ ଭୁଲ୍ ସ୍ଵୀକାର କରିବା ସହ କ୍ଷମା ମାଗିଥିଲେ ୟୁ ଟ୍ୟୁବର ତଥା ଭିଡ଼ିଓ ଉତୋଳନକାରୀ ଅନିମେଶ । ଏଥିପାଇଁ ସେ ପ୍ରଭୁ ଶ୍ରୀ ଜଗନ୍ନାଥ ଓ ଓଡ଼ିଶା ବାସୀଙ୍କ ନିକଟରେ କ୍ଷମା ପ୍ରର୍ଥନା କରିଥିଲେ । ଏହା ନୋ ଫ୍ଲାଏ ଜୋନ୍ ବୋଲି ସେ ଜାଣିନଥିବା କହିଥିଲେ ।