ଧର୍ମଶାଳା : ଯାଜପୁର ଜିଲା ଧର୍ମଶାଳା ଥାନା ରସୁଲପୁର ବ୍ଲକ ମହେଶ୍ୱରପୁର ପଂଚାୟତରେ ଚଳିତ ମାସ ୧୭ ତାରିଖ ଦିନ ସଂଖ୍ୟାଲଘୁ ଭାଇମାନଙ୍କର ବିଳମ୍ବିତ ରାତିରେ ଜଲାସା ଚାଲିଥିବା ସମୟରେ ଚାନ୍ଦପୁର ଗ୍ରାମର ସେକ୍ କାଜିମଉଦ୍ଧିନଙ୍କ ଘରୁ ଏକ ପଲସର ବାଇକ ଚୋରୀ ହୋଇଥିଲା । ଏହି ଚୋରୀ ଘଟଣାରେ ବ୍ରହ୍ମବରଦା ପୁଲିସ ବାଇକଟିକୁ ଜବତ କରିବା ସହିତ ବାଇକଟିକୁ ବିକ୍ରୀ କରିବା ଅଭିଯୋଗରେ ୨ଯୁବକ ଓ ଚୋରା ବାଇକ୍ କିଣିବା ଅଭିଯୋଗରେ ଜଣକୁ ପୁଲିସ ଗିରଫ କରି ସେମାନଙ୍କୁ ଆଜି କୋର୍ଟ ଚାଲାଣ କରିଥିବାବେଳେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିବା ନେଇ ବ୍ରହ୍ମବରଦା ଫାଣ୍ଡି ଅଧିକାରୀ ପରମାନନ୍ଦ ସେଠୀ ସୂଚନା ଦେଇଛନ୍ତି । ଅଭିଯୋଗ ମୁତାବକ ଚଳିତ ମାସ ୧୭ ତାରିଖରେ ଏହି ପଂଚାୟତ ଚାନ୍ଦପୁରଠାରେ ଜଲସା କାର୍ଯ୍ୟକ୍ରମ ଚାଲିଥିଲା । ଏହି କାର୍ଯ୍ୟକମକୁ ଦେଖିବା ନିମନ୍ତେ ଏହି ଗ୍ରାମର ସେକ୍ କାଜିମଉଦ୍ଧିନଙ୍କ ପରିବାରର ସମସ୍ତ ସଦସ୍ୟ ଯାଇଥିଲେ । ଘର ବାରଣ୍ଡାରେ ୩ଗୋଟି ବାଇକ୍ ରହିଥିଲା । ବିଳମ୍ବିତ ରାତିରେ ଜଲସା ସରିବା ପରେ କାଜିମଙ୍କ ପୁଅ ସେକ୍ ତାହେର ତାଙ୍କର କଳା ରଂଗର ପଲସର ୨୨୦ବାଇକ୍(ଓଡି୦୪କେ୫୦୫୮)ନମ୍ବରକୁ କେହି ଚାବି ଭାଙ୍ଗି ନେଇଯାଇଥିବା ଜାଣିବାକୁ ପାଇଥିଲେ । ଏନେଇ ତାହେର ବ୍ରହ୍ମବରଦା ଫାଣ୍ଡିରେ ଏତଲା ଦେଇଥିଲେ । ପୁଲିସ ୫୩୮ା୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଏବଂ ଏହି ଘଟଣାରେ ପୁଲିସ ତୀକ୍ଷ୍ଣ ନଜର ରଖିଥିଲା । ଏହି ଗ୍ରାମର ୨ ଯୁବକଙ୍କ ଉପରେ ସନେ୍ଦହ ହୋଇଥିଲା । ଗତ କାଲି ରାତିରେ ଏହି ଗ୍ରାମର ସେକ୍ ଇମରାନ ଖାଁନଙ୍କ ପୁଅ ସେକ୍ ଇରଫାନ ଖାଁନ(୨୪) ଓ ଇରଫାନର ସହଯୋଗୀ ଏହି ଗ୍ରାମର ସେକ୍ ରହିମ ଖାଁନଙ୍କ ପୁଅ ସେକ୍ ସୟଦ ଖାଁନ ଓରଫ କାଲୋ(୧୯)ଙ୍କୁ ସନେ୍ଦହରେ ଅଟକ ରଖି ପଚରାଉଚୁରା କରିଥିଲା । ପୁଲିସ ଆଗରେ ସେମାନେ ବାଇକ ଚୋରୀ କରି ମଙ୍ଗଳପୁର ଥାନା ଇଜାପୁର ଗ୍ରାମରେ ବିକ୍ରୀ କରିଥିବା ନେଇ ସ୍ୱୀକାର କରିଥିଲେ । ଏବଂ ଏହି ଘଟଣାରେ କାଲୋ ଓ ତାର ସାଙ୍ଗ ସେକ୍ ନାସିରୁଦ୍ଧିନଙ୍କ ପୁଅ ସେକ୍ ଆଜାହାର(୨୨) ଦୁହେଁ ମିଶି ଏହି ପଲସର ବାଇଟିକୁ ଚୋରୀ କରି ଆଣି ଇରଫାନଙ୍କୁ ଦେଇଥିଲେ । ଇରଫାନ ଏହି ବାଇଟିକୁ ମଙ୍ଗଳପୁର ଥାନା ଇଜାପୁର ଗ୍ରାମର ସେକ୍ ସଲିମ ଓରଫ ରାଜୁ(୪୦)ଙ୍କୁ ୧୦ ହଜାର ଟଙ୍କାରେ ବିକ୍ରୀ କରି ଦେଇଥିଲେ । ପୁଲିସ ବାଇକଟିକୁ ଜବତ କରିବା ସହିତ ଇରଫାନ,ସେକ୍ କାଲୋ ଓ ଆଜହାରଙ୍କୁ ଗିରଫ କରି ଆଜି ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ନେଇ ବ୍ରହ୍ମବରଦା ଫାଣ୍ଡି ଅଧିକାରୀ ପରମାନନ୍ଦ ସେଠୀ ସୂଚନା ଦେଇଥିଲେ । ଏହି ଚଢାଉରେ କନେଷ୍ଟବଳ ଭୀମସେନ ନାୟକ ଓ ବୃନ୍ଦାବନ ବେହେରା ସହଯୋଗ କରିଥିଲେ ।
Related Stories
November 23, 2024