-
ସାରା ରାଜ୍ୟରେ ବିଜ୍ଞାନ ଶିକ୍ଷକ, ସଂସ୍କୃତ ଶିକ୍ଷକଙ୍କ ଠାରୁ ଆରମ୍ଭ କରି ପ୍ରଧାନ ଶିକ୍ଷକ ନ ଥିବା କାରଣରୁ ଶିକ୍ଷା ଦାନ ହେଉଛି ବାଧାପ୍ରାପ୍ତ
-
ଖାଲି ପଡିଥିବା ପଦବୀ ପୂରଣ କରିବାକୁ ସରକାରଙ୍କ ପକ୍ଷରୁ ନିଆ ଯାଉଛି ପଦକ୍ଷେପ
ଭୁବନେଶ୍ୱର, ରାଜ୍ୟରେ ବିଦ୍ୟାଳୟ ମାନଙ୍କରେ ଶିକ୍ଷକ ଓ ଅଣ ଶିକ୍ଷକ ମାନଙ୍କ ପଦବୀ ଖାଲି ପଡିଥିବା କାରଣରୁ ଉଭୟ ସରକାରୀ ଓ ବିରୋଧୀ ଦଳର ବିଧାୟକ ମାନେ ଆଜି ବିଧାନସଭାରେ ଉଦବେଗ ପ୍ରକାଶ କରିଥିଲେ । ବିଜେଡି ବିଧାୟକ ଅମର ପ୍ରସାଦ ସତପଥୀ ଓ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ଏ ସମ୍ପର୍କିତ ପ୍ରଶ୍ନ ଉପରେ ଆଲୋଚନା ବେଳେ ବିଧାୟକ ମାନେ ଏହାକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ । ପ୍ରଶ୍ନୋତର କାର୍ଯ୍ୟକ୍ରମରେ ଦୀର୍ଘ ସମୟ ଧରି ଏହି ପ୍ରସଙ୍ଗ ଉପରେ ସରଗରମ ଆଲୋଚନା ହୋଇଥିଲା । ଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କ ପାଇଁ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା ପ୍ରଶ୍ନର ଉତର ଦେଇଥିଲେ ।
ଆଲୋଚନାରେ ଅଂଶଗ୍ରହଣ କରି ନରସିଂହ ମିଶ୍ର ବଲାଙ୍ଗିର ମହିଳା କଲେଜରେ ପ୍ଲସ ୨ ବିଜ୍ଞାନ ପାଠ୍ୟକ୍ରମ ଖୋଲିବା ପରେ ସେଠାରେ ଗୋଟିଏ ହେଲେ ଅଧ୍ୟାପକ ନିଯୁକ୍ତି ନ ଦିଆ ଯିବା ପ୍ରସଙ୍ଗକୁ ନେଇ ପ୍ରଶ୍ନ କରିଥିଲେ । ବିଜେପି ବିଧାୟକ ଭାସ୍କର ମଢେଇ କହିଥିଲେ ଯେ ଅନେକ ସ୍ଥାନରେ ବିଇଓ ଓ ଡିଇଓ ପଦବୀ ଖାଲି ରହିଥିବା କାରଣରୁ ଶିକ୍ଷା ବ୍ୟବସ୍ଥା ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡୁଛି । ବିଜେଡି ବିଧାୟକ ଡା ନୃସିଂହ ସାହୁ କହିଥିଲେ ଯେ ଅନେକ ବିଦ୍ୟାଳୟରେ ବିଜ୍ଞାନ, ସଂସ୍କୃତ ଓ ହିନ୍ଦୀ ଶିକ୍ଷକ ନ ଥିବା କାରଣରୁ ପିଲା ମାନଙ୍କର ପାଠପଢା ବାଧା ପ୍ରାପ୍ତ ହେଉଛି । ଜଣେ ଶିକ୍ଷକଙ୍କୁ ଦୁଇ ଦୁଇଟି ସ୍କୁଲରେ ପଢାଇବାକୁ କୁହା ଯାଉଛି । ତେଣୁ ସଂସ୍କୃତ ଓ ହିନ୍ଦୀ ଶିକ୍ଷକଙ୍କ ବ୍ୟବସ୍ଥା ଜିଲ୍ଲା ଭିତରୁ କଲେ ଏହି ସମସ୍ୟାର କିଛି ମାତ୍ରାରେ ସମାଧାନ ହୋଇ ପାରନ୍ତା ବୋଲି ସେ କହିଛନ୍ତି ।
ଅନ୍ୟ ପକ୍ଷରେ ମନ୍ତ୍ରୀ ଶ୍ରୀ ଅଶୋକ ପଂଡା କହିଛନ୍ତି ଯେ ମଂଜୁରୀ ପ୍ରାପ୍ତ ପଦବୀ ଗୁଡିକ ପୂରଣ କରିବାକୁ ରାଜ୍ୟ ସରକାର ଯତ୍ନଶୀଳ ଅଛନ୍ତି । ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ପଦବୀ ପୂରଣ କରା ଯିବା ଦିଗରେ ରାଜ୍ୟ ସରକାର କାମ କରୁଛନ୍ତି ।