 
                ଭଦ୍ରକ – ଭଦ୍ରକ ବାଗୁରାଇ ଆଦିବାସୀ କଲୋନୀର ଆଦିବାସୀ ଯୁବକ ବୀର ଗାଗାରାଇ ଓରଫ ନଣ୍ଡାଙ୍କ ପରିବାରକୁ ନ୍ୟାୟ ମିଳିବା ଆଶା ମଉଳିବାରେ ଲାଗିଛି । ମୃତକଙ୍କ ପରିବାର ପୁଲିସ ନିକଟକୁ ନ୍ୟାୟ ପାଇବାକୁ ଦୌଡ଼ିଦୌଡ଼ି ନୟାନ୍ତ ହେଲେଣି । ଚଳିତ ମାସ ୧୬ ତାରିଖ ପୂର୍ବାଞ୍ଚଳ ଆଇଜି ଦୀପ୍ତେଶ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମାମଲା ରୁଜ୍ଜୁ ହୋଇଥିଲେ ମଧ୍ୟ ଦିନ ପରେ ଦିନ ଗଡ଼ି ଚାଲିଛି । କିନ୍ତୁ ପୁଲିସ ତଦନ୍ତ ଆଗେଇ ପାରୁନି । ବିଭିନ୍ନ ଆଳ ଦେଖାଇ ପୁଲିସ ତଦନ୍ତକୁ ବିଳମ୍ବିତ କରିଚାଲିଛି । ତଦନ୍ତ ପ୍ରକ୍ରିୟାକୁ ଜାଣିଶୁଣି ବିଳମ୍ବିତ କରି ଚାଲିଥିବା ଭଦ୍ରକ ପୁଲିସ ଏହି ମାମଲାରେ ଜଣେ ଅନୁସୂଚିତ ଜନଜାତିର ପିଡ଼ିତଙ୍କ ପରିବାରକୁ କେତେଦୂର ନ୍ୟାୟ ଦେଇ ପାରିବ ତାହା ପଛ କଥା, କିନ୍ତୁ ଏପରି ଏକ ସମ୍ବେଦନଶୀଳ ଘଟଣାରେ ପୁଲିସର ବର୍ତମାନ ପର୍ଯ୍ୟନ୍ତ ଭୂମିକା ସନ୍ଦେହଘେରରେ ରହିଛି । କାରଣ ଏହି ମାମଲାରେ ତଦନ୍ତ ଦିଗହରା ହୋଇଯାଇଛି । ଏହି ସ୍ପର୍ଶକାତର ଘଟଣାରେ ପୂର୍ବାଂଚଳ ଆଇଜି ଓ ଏସପିଙ୍କ ତଦନ୍ତ ନିର୍ଦ୍ଦେଶକୁ କିପରି ତଦନ୍ତକାରୀ ଅଧିକାରିଣୀ ଅଣଦେଖା କରୁଛନ୍ତି ତାହା ସ୍ୱତଃ ସନ୍ଦେହ ସୃଷ୍ଟି କରିଛି । କାହାର ଚାପରେ ପୁଲିସ ଘଟଣାକୁ ଗୁରୁତ୍ୱ ଦେଉନି ତାହା ଏବେ ବହୁମୂଲ୍ୟର ପ୍ରଶ୍ନ ଭାବେ ଛିଡ଼ା ହୋଇଛି ବୋଲି ରାଷ୍ଟ୍ରୀୟ ମାନବାଧିକାର ପରିଷଦ ଭଦ୍ରକ ଶାଖା ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଗଠନର କର୍ମୀ କ୍ଷିତିଶ ସାମନ୍ତ ବେହେରା ଅଭିଯୋଗ କରିଛନ୍ତି । ତେଣୁ ତୁରନ୍ତ ତଦନ୍ତକାରୀ ଅଧିକାରୀଙ୍କୁ ବଦଳାଇ ଜଣେ ଡ଼ିଏସପି ପାହ୍ୟାର ଅଧିକାରୀଙ୍କ ତଦନ୍ତ ଭାର ଅର୍ପଣ କରିବାକୁ ସେ ଦାବି କରିଛନ୍ତି । ଯଦି ବି ଗାଗାରାଇ ପରିବାରକୁ ନ୍ୟାୟ ଦେବାରେ ପୁଲିସ ବିଫଳ ହୁଏ, ତେବେ ମାଦବାଧିକାର ପରିଷଦ ମାନବାଧିକାର ଆୟୋଗଙ୍କ ଦ୍ୱାରସ୍ଥ ହେବ ବୋଲି ସେ ଚେତାବନୀ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପରିଷଦର ସାଧାରଣ ସମ୍ପାଦକ ସନ୍ତୋେ ଦାସଅଧିକାରୀ, ଉପସଭାପତି ପ୍ରଭାସ ରଂଜନ ପଣ୍ଡା, ଲିଗାଲ ଆଡ଼ଭାଇଜର ଦିଲ୍ଲୀପ ମହାଲାୟକ ଉପସ୍ଥିତ ରହି ପିଡ଼ିତଙ୍କ ପରିବାରକୁ ନ୍ୟାୟ ଦେବାକୁ ଶେଷ ପର୍ଯ୍ୟନ୍ତ ଉଦ୍ରମ କରିବେ ବୋଲି କହିଛନ୍ତି । ଅପରପକ୍ଷରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଆଜି ପିଡ଼ିତଙ୍କ ପରିବାର ନିକଟରେ ପହଂଚି ଶ୍ୱାନ୍ତନା ଦେବା ସହ ୨୦ହଜାର ଟଙ୍କାର ସହାୟତା ପ୍ରଦାନ କରିଥିଲେ । ତଦନ୍ତ ବିଳମ୍ବିତ ହେଉଥିବାରୁ ମୁଁ ଆଇଜିଙ୍କ ସହ ଏବିଷୟରେ କଥା ହେବି ବୋଲି ବିଧାୟକ ଶ୍ରୀ ମଲ୍ଲିକ କହିବା ସହ ତାଙ୍କ ପରିବାରର ଥଇଥାନ ଦିଗରେ ଉଦ୍ରମ କରିବେ ବୋଲି କହିଥିଲେ ।   ଏଠାରେ ସୂଚନାଯୋଗ୍ୟ ଗତ ୭ତାରିଖ କୌଣସି କାରଣରୁ ବୀର ଗାଗରାଇ ବିଷ ପଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ପ୍ରଥମେ ଭଦ୍ରକ ଓ ପରେ ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । ୧୧ତାରିଖ ଅପରାହ୍ନରେ ତାଙ୍କର ମୃତ୍ୟୁ ଘଟିଥିଲା । ମେଡ଼ିକାଲ କର୍ତୃପକ୍ଷ ଶବ ବ୍ୟବଛେଦ ସମୟରେ ମୃତକଙ୍କ ଦୁଇଟି ଆଖି ଚୋରି କରି ନେଇଥିବାର ଅଭିଯୋଗ ଆଣିଥିଲେ ମୃତକଙ୍କ ପତ୍ନୀ । ଏହି ମାମଲାରେ ଭଦ୍ରକ ସହରାଂଚଳ ଥାନାରେ ପୁଲିସ ପୂର୍ବାଞ୍ଚଳ ଆଇଜିଙ୍କ ନିର୍ଦ୍ଦେଶରେ ଏକ ମାମଲା(ନଂ-୩୪୫) ରୁଜ୍ଜୁ କରିଥିଲା ।
                            
                        
	                    
 
                    







