କେନ୍ଦ୍ରାପଡ଼ା, କେନ୍ଦ୍ରାପଡ଼ା ବାଲିଆ ବଜାର ବାଣ ବିସ୍ଫୋରଣ ଘଟଣାରେ ଅଦ୍ୟାବଧି ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ ପାଇଁ ଦାବି ହୋଇଛି । ଗତକାଲି ରାତିରେ କଟକ ଏସସିବି ମେଡ଼ିକାଲରେ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଥିବା କେନ୍ଦ୍ରାପଡ଼ା ପୌରାଚଂଳ ଅନ୍ତର୍ଗତ ଜଇପୁରା ଗ୍ରାମର ପିଂଟୁ ଖାନଙ୍କ ପରିବାର ଲୋକେ ଓ ଗ୍ରାମବାସୀ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ସମୟ ଧରି ମୃତକଙ୍କ ଶବ ରଖି ଧାରଣା ଦେଇଥିଲେ ।
ପ୍ରକାଶ ଥାଉକି, ଗତ ୨୩ ତାରିଖ ରାତିରେ କେନ୍ଦ୍ରାପଡ଼ା ସଦର ଥାନା ଅର୍ନ୍ତଗତ ବାଲିଆ ବଜାରରେ କାର୍ତିକେଶ୍ଵର ଭସାଣ ବେଳେ ବାଣଫୁଟି ଏହି ବିସ୍ଫୋରଣ ଘଟିଥିଲା । ବାଣ ବିସ୍ଫୋରଣରେ ୪୦ ଜଣ ଆହତ ହୋଇଥିଲେ । ଏସସିବିରେ ଚିକିତ୍ସାଧିନ ଅବସ୍ଥାରେ ଗତ ୨୬ ତାରିଖରେ ଜଣକର ମୃତ୍ୟୁ ଘଟିଥିଲା । ସେହିପରି ଚିକିତ୍ସାଧନ ଅବସ୍ଥାରେ ଗତକାଲି ରାତିରେ ପିଂଟୁ ଖାନଙ୍କ ମୃତ୍ୟୁ ଘଟିଛି । ଯାହାଦ୍ଵାରା ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି । ଘଟଣାରେ ଦୁଇ ବାଣୁଆଙ୍କ ନାମରେ ମାମଲା ରୁଜ୍ଜୁ କରିଛି କେନ୍ଦ୍ରାପଡ଼ା ସଦର ଥାନା ପୋଲିସ । କାର୍ଯ୍ୟାନୁଷ୍ଠାନ ସ୍ଵରୂପ ପୂଜା କମିଟିର ତିନି ସଦସ୍ୟଙ୍କୁ ଗିରଫ କରିଛି ।