ଗଞ୍ଜାମ, ଗଞ୍ଜାମ ଥାନା ଅଧିନ ବଡକାଇଁଚପୁର ଗ୍ରାମର ୨୮ ଟି ମତ୍ସ୍ୟଜିବୀ ପରିବାରକୁ ବିଭିନ୍ନ କାରଣରୁ ସାମାଜିକ ବାସନ୍ଦ କରାଯାଇଥିଲା । ତେବେ ପୋଲିସର ହସ୍ତକ୍ଷେପ ଯୋଗୁଁ ଦୀର୍ଘ ୧୮ ବର୍ଷ ପରେ ଏହି ସମସ୍ତ ପରିବାର ଉପରୁ ଶେଷରେ ସାମାଜିକ ବାସନ୍ଦ ଆଦେଶ ପ୍ରତ୍ୟାହୃତ ହୋଇଛି । ବିଧିବଦ୍ଧ ଭାବେ ସମସ୍ତେ ସମାଜ ସହ ସାମିଲ୍ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଥାନା ଅଧିକାରୀ ସନ୍ତୋଷ କୁମାର ବେହେରା ଗତ ୪ ଦିନ ଧରି ଉଭୟ ପକ୍ଷଙ୍କୁ ଥାନାକୁ ଡାକି ଆଲୋଚନା କରିବା ପରେ ଆଜି ପୁଣି ବଡକାଇଁଚପୁର ଗ୍ରାମର ଉଭୟ ପକ୍ଷଙ୍କୁ ନେଇ ଆଲୋଚନା ହୋଇଥିଲା । ଉଭୟ ପକ୍ଷର ଯୁକ୍ତିତର୍କ ପରେ ଏହି ୨୮ଟି ପରିବାର ଉପରୁ ବାସନ୍ଦ ଆଦେଶ ପ୍ରତ୍ୟାହାର ହୋଇଥିଲା । ସେମାନେ ମନ୍ଦିରକୁ ୨୬ ହଜାର ୪୦୦ ଟଙ୍କା ଦାନ କରିଥିଲେ ।
କୂଳର ସଭାପତି ଓ କର୍ମକର୍ତାଙ୍କ ସମେତ ଗଞ୍ଜାମ ଥାନା ଏସଆଇ ଅଜିତ କୁମାର ପରଡା, ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, କୃଷ୍ଣଚନ୍ଦ୍ର ବେହେରା ଓ କାହ୍ନୁ ବେହେରା ଏବଂ ସମସ୍ତ ଗ୍ରାମବାସୀ ଏହି ବୈଠକରେ ଉପସ୍ଥିତ ଥିଲେ । ସମସ୍ତ ପରିବାରକୁ ଗଞ୍ଜାମ ଥାନା ଅଧିକାରୀ ଶ୍ରୀ ବେହେରା ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ ।