ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ରାଷ୍ଟ୍ରପତି ହେବା ପରେ ଶ୍ରୀମତୀ ମୁର୍ମୁଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ ହୋଇଥିବାରୁ ସବୁଆଡ଼େ ଉତ୍ସାହ ଲାଗି ରହିଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ଆଜି ପୂର୍ବାହ୍ନ ୧୦ଟା ୫୦ମିନିଟରେ ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନବନ୍ଦରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ପହଞ୍ଚିଥିଲେ । ସେଠାରେ ତାଙ୍କୁ ସ୍ୱାଗତ ଜଣାଇ ପାଛୋଟି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲଙ୍କ ସମେତ ବିଭିନ୍ନ ଦଳର ନେତା ତଥା ବରିଷ୍ଠ ଅଧିକାରୀ ପହଞ୍ଚିଥିଲେ । ସେଠାରେ ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା ।
ଭୁବନେଶ୍ୱର ବିମାନବନ୍ଦରରୁ ବାୟୁସେନାର ସ୍ୱତନ୍ତ୍ର ଚପରରେ ରାଷ୍ଟ୍ରପତି ସିଧାସଳଖ ପୁରୀ ଅଭିମୁଖେ ଯାତ୍ରା କରିଥିଲେ । ସେ ୧୧ଟା ୪୦ରେ ପୁରୀ ତାଳବଣିଆ ହେଲିପ୍ୟାଡରୁ ସଡ଼କପଥରେ ଶ୍ରୀମନ୍ଦିରକୁ ଯାଇଥିଲେ । ତେବେ ରାଷ୍ଟ୍ରପତିଙ୍କ କାରକେଡ଼ ମେଡ଼ିକାଲ ଛକରେ ପହଞ୍ଚିବାକ୍ଷଣି ସେ ସେଠାରୁ ଓହ୍ଲାଇଯିବା ସହ ବାହୁ ଟେକି ଛଳଛଳ ଆଖିରେ ନିଜକୁ ଜଗନ୍ନାଥଙ୍କ ନିକଟରେ ସମର୍ପଣ କରିଥିଲେ । ସେଠାରୁ ଚାଲିଚାଲି ବଡ଼ଦାଣ୍ଡରେ ଆସି ସିଂହଦ୍ୱାର ନିକଟରେ ପହଞ୍ଚିଥିଲେ । ସେହିଭଳି ମଧ୍ୟାହ୍ନରେ ରାଷ୍ଟ୍ରପତି ଶ୍ରୀମନ୍ଦିରରେ ପହଞ୍ଚିବା ପରେ ସିଂହଦ୍ୱାର ନିକଟରେ ତାଙ୍କୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ସ୍ୱାଗତ କରିଥିଲେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ପଟ୍ଟଚ୍ଚିତ୍ର ପ୍ରଦାନ କରାଯାଇଥିଲା । ତାଙ୍କ ସହ ରାଜ୍ୟପାଳ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଡାକ୍ତର ସମ୍ବିତ ପାତ୍ର ଓ ରାଷ୍ଟ୍ରପତିଙ୍କ କନ୍ୟା ମଧ୍ୟ ଉପସ୍ଥିତଥିଲେ । ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଶ୍ରୀମନ୍ଦିରରେ ପ୍ରାୟ ୧ ଘଣ୍ଟା ରହି ଠାକୁରଙ୍କ ଦର୍ଶନ କରିଥିଲେ ।
ଏହାପରେ ରାଜଭବନକୁ ଯାଇ ସେ ମହାପ୍ରସାଦ ସେବନ କରିଛନ୍ତି । ପୁରୀରୁ ଅପରାହ୍ନରେ ଭୁବନେଶ୍ୱର ଫେରି, ରାଜଧାନୀର ୮ଟି ସ୍ଥାନରେ ସ୍ୱାଧୀନତା ସଂଗ୍ରାମୀ ଓ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି । ରାଜଭବନରେ ତାଙ୍କର ରାତ୍ରିଯାପନ ବ୍ୟବସ୍ଥା ହୋଇଛି । ଗସ୍ତର ଦ୍ୱିତୀୟ ଦିନରେ ସ୍କୁଲ ପରିଦର୍ଶନ ପରେ ଦିନ ୧୧ଟାରେ ଜୟଦେବ ଭବନରେ ଶେଷ କାର୍ଯ୍ୟକ୍ରମ ରହିଛି । ଏଥିରେ ଯୋଗଦେବା ପରେ ସେ ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି । ତେବେ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଭୁବନେଶ୍ୱର ଓ ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଆଜି ଅପରାହ୍ନରୁ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକ ଛୁଟି ଘୋଷଣା କରାଯାଇଥିଲା । ବିମାନବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ ୩୪ ପ୍ଲାଟୁନ୍ ଫୋର୍ସ ସହ ୨ ଶହ ସବ୍ଇନ୍ସପେର, ୬୨ ଜଣ ଏସିପି, ୨୨ ଏଡିସିପି ରାଙ୍କର ଅଫିସର ଓ ୪ ଡିସିପି ରାଙ୍କର ଅଫିସର ସୁରକ୍ଷା ଦାୟିତ୍ୱରେ ରହିଥିଲେ ।