
କେନ୍ଦ୍ରାପଡ଼ା – କେନ୍ଦ୍ର ସରକାରଙ୍କ ବିପର୍ଯ୍ୟସ୍ଥ ଅର୍ଥନୀତି, ଦରଦାମ୍ ବୃଦ୍ଧି, ବେରୋଜଗାରୀ, ଲୋକଙ୍କ କ୍ରୟଶକ୍ତି ହ୍ରାସ ପ୍ରତିବାଦରେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି । ଶହ ଶହ କଂଗ୍ରେସ କର୍ମୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ନିକଟରୁ ଏକ ମୋଟର ସାଇକେଲ୍ ଶୋଭାଯାତ୍ରାରେ ସହର ପରିକ୍ରମା କରି ପ୍ରତିବାଦ ଜଣାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ୪ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ଏନ୍ଡିଏ ସରକାରଙ୍କ ଚରମ ଆର୍ଥିକ ଦୁଃସ୍ଥିତି, ଜାତୀୟ କରଣ ବ୍ୟାଙ୍କରେ ଏନ୍ପିଏ ବୃଦ୍ଧି, ପିଆଜ, ଟମାଟୋ, ଆଳୁ ପରି ନିତ୍ୟ ବ୍ୟବହାର୍ଯ୍ୟ ଖାଉଟି ଦ୍ରବ୍ୟର ମୂଲ୍ୟବୃଦ୍ଧି କେନ୍ଦ୍ର ସରକାରର ଅପାରଗତର ପରିଚୟ ବୋଲି ଦାବିପତ୍ରରେ ଦର୍ଶାଇଛନ୍ତି । ଏଥିସହିତ ଶିଳ୍ପ ସଂସ୍ଥା ଏବଂ କୃଷକ ମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି ।
ଏଥିସହିତ ବର୍ଷାଜନୀତ କ୍ଷୟକ୍ଷତି ସହାୟତା ପାଇଁ ଆସିଥିବା ୧୯.୪୨ କୋଟି ଟଙ୍କାକୁ କ୍ଷତିଗ୍ରସ୍ତ କୃଷକଙ୍କୁ ଯଥାଶୀଘ୍ର ବଂଟନ କରିବା, ବୁଲ୍ ବୁଲ୍ ବାତ୍ୟାରେ ପ୍ରଭାବିତ ମାନଙ୍କୁ ଯଥେଷ୍ଟ କ୍ଷତିପୂରଣ ଦେବା, କ୍ଷତିଗ୍ରସ୍ତ କଚ୍ଚାଘର ବାସିନ୍ଦାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇବା, କେନ୍ଦ୍ରାପଡା ଜିଲ୍ଲା ସହିତ ଯଥାଶୀର୍ଘ୍ର ରେଳ ଚଳାଚଳ କରିବା ସ୍ଥାନୀୟ ସମସ୍ୟାକୁ ନେଇ ଜିଲ୍ଲା କଂଗ୍ରେସ ରାଷ୍ଟ୍ରପତିଙ୍କୁ ଦାବିପତ୍ର ମାଧ୍ୟମରେ ଜଣାଇଛନ୍ତି । ଆଜିର ଏହି ବିକ୍ଷୋଭରେ ଜିଲ୍ଲା ଉପସଭାପତି ସଂଜୟ ଦାସ, ଅଖିଳ ଭାରତୀୟ କଂଗ୍ରେସ କମିଟି ସଂପାଦକ ରୁଦ୍ର ରାଜୁ, ଜିଲ୍ଲା ପର୍ଯ୍ୟବେକ୍ଷକ ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, ପିସିସି ସାଧାରଣ ସଂପାଦକ ଶୁଭେନ୍ଦୁ ମହାନ୍ତି, ଶରତ ବେଉରା, ନଗର ସଭାପତି ସୈାମେନ୍ଦ୍ର ପୃଷ୍ଟି, ଫକିର ଖଟୁଆ, ସଂପାଦକ କମଳାକାନ୍ତ ବେହେରା, ସମ୍ଭୀତ୍ ଶ୍ରୀ ଚନ୍ଦନ, ମୀର ମୁର୍ସିଦ୍, ମହେନ୍ଦ୍ର ପରିଡା, ଅନ୍ତର୍ଯ୍ୟାମୀ ସ୍ୱାଇଁ, ସମ୍ରାଟ୍ ଜେନା, ମଳୟ ଦାସ, ସୁକାନ୍ତ ସେଠୀ ପ୍ରମୁଖ ସାମିଲ୍ ହୋଇଥିଲେ ।