ପୁରୀ, କାର୍ତିକ ମାସ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହୋଇଛି । ଏହି ବେଶ ମଧ୍ୟ ଡାଳିକିଆ ବେଶ ନାମରେ ନାମିତ । ଶ୍ରୀଜୀଉଙ୍କ ଅବକାଶ ନୀତି ସମ୍ପନ୍ନ ହେବା ପରେ ଏହି ବେଶ ଅନୁଷ୍ଠିତ ହୋଇଛି । ବଲ୍ଲଭ, ବାଳଭୋଗ, ସକାଳ ଧୂପ ଓ ଭଅଣ୍ଡ ପର୍ଯ୍ୟନ୍ତ ଏହି ବେଶ ରହିବ । ପାଳିଆ ସେବାୟତ ମାନେ ଶ୍ରୀଜୀଉମାନଙ୍କୁ ଏହି ବେଶ କରିବା ସହ ଅନ୍ୟାନ୍ୟ ନୀତିକାନ୍ତି ଜାରୀ ରଖିଛନ୍ତି ।
ଏହି ବେଶରେ ସୁନାକିଆ ଡାଳି ଭଳି ଖଞ୍ଜାଯାଇଥିବାରୁ ଏହାର ଏପରି ନାମକରଣ ହୋଇଛି । ଶ୍ରୀ ଜଗନ୍ନାଥ ଓ ଶ୍ରୀ ବଳଭଦ୍ର ମହାପ୍ରଭୁଙ୍କର ମସ୍ତକର ଶୀର୍ଷ ଭାଗରେ ଜରି, ବେତ କନାରେ ଦୁଇଟି ଡାଳି ଚୂଳ ସହିତ ଲାଗି ହୋଇଛି । ଏହି ଡାଳି ଓ ଚୂଳରେ ସୋଲ ଜରିରେ ନିର୍ମିତ ଗୁଡ଼ିଏ ଫୁଲ ଧାଡ଼ି ଧାଡ଼ି କରି ଲଗାଯାଇଛି । ତାହା ମଝିରେ ସୁବର୍ଣ୍ଣ କିଆ ଖୋସା ଯାଇଛି । ସମଗ୍ର ବେଶକୁ ଧରି ରଖିଛି ଶ୍ରୀମୁଖରେ ଦିଆଯାଇଥିବା ଗୋଟିଏ ଗୋଟିଏ ବଳା । ଅନ୍ୟାନ୍ୟ ବେଶରେ ବ୍ୟବହାର କରାଯାଉଥିବା ସ୍ୱର୍ଣ୍ଣ ଅଳଙ୍କାର ମଧ୍ୟ ଏହି ବେଶରେ ଲାଗି ହୋଇଛି ।
ଡାଳିକିଆ ବେଶରେ ଶ୍ରୀଜୀଉଙ୍କୁ ମାଳି, ପଦକ ମାଳି ଓ ତାବିଜ ମାଳି ଲାଗି ହୋଇଛି । ଶ୍ରୀଭୁଜ ଓ ଶ୍ରୀପୟର ମଧ୍ୟ ଲାଗି ହୋଇଛି । ଆୟୁଧ ଶଙ୍ଖ, ଚକ୍ର, ହଳ, ମୂଷଳ ମଧ୍ୟ ଲାଗି ହୋଇଛି । ସୁଭଦ୍ରା ମଧ୍ୟ ଏହି ବେଶରେ ଅନେକ ସୁନା ଅଳଙ୍କାରରେ ଆଭୂଷିତ ହୋଇଛନ୍ତି । ଦେବୀଙ୍କର ଶିରରେ ସୁନାର କିରୀଟ ଶୋଭାପାଉଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ବେଶର ସମସ୍ତ ଖର୍ଚ୍ଚ ବହନ କରାଯାଏ । ଶ୍ରୀଜଗନ୍ନାଥଙ୍କର ଏହି ବେଶ ମହାପ୍ରଭୁଙ୍କୁ ନୃସିଂହ ଭାବରେ ପ୍ରମାଣିତ କରେ ।
ସ୍କନ୍ଧ ପୁରାଣ ଅନୁସାରେ, ମହାପ୍ରଭୁ ପ୍ରଥମେ ନୃସିଂହ ରୂପରେ ଦେଖା ଦେଇଥିଲେ । ତାଙ୍କର ନବକଳେବରରେ ସମସ୍ତ କାର୍ଯ୍ୟ ନୃସିଂହ ମନ୍ତ୍ରରେ କରାଯାଏ । ବସ୍ତୁତଃ ଜଗନ୍ନାଥ ହିଁ ନୃସିଂହ – ଏହି ପ୍ରଥା ପ୍ରଦର୍ଶନ ପାଇଁ ଏହି ବେଶ କରାଯାଏ । ସ୍କନ୍ଧ ପୁରାଣ ଅନୁସାରେ ଇନ୍ଦ୍ରଦ୍ୟୁମ୍ନଙ୍କ ପ୍ରାର୍ଥନା ଫଳରେ ବ୍ରହ୍ମାଙ୍କ ଦ୍ଵାରା ପ୍ରତିଷ୍ଠିତ ଦାରୁମୂର୍ତି ତେଜୋମୟ ଉଗ୍ରରୂପ ତ୍ୟାଗ କରି ଶାନ୍ତ ନୃସିଂହ ମୂର୍ତି ଧାରଣ କରନ୍ତି । ଦେବୀ କମଳା ତାଙ୍କର ହୃଦୟ ପଦ୍ମରେ ବିରାଜମାନ ହୁଅନ୍ତି । ଚନ୍ଦ୍ର ସୂର୍ଯ୍ୟ ତୁଲ୍ୟ ନୟନ ଯୁଗଳ ସମୁଜ୍ଵଳ ହେଲା । ଦୁଇ ହସ୍ତରେ ଚକ୍ର ଓ ପିନାକ ଶୋଭା ପାଇଲା । ଅନ୍ୟ ଦୁଇଟି ହସ୍ତ ଜାନୁ ଉପରେ ପ୍ରସାରିତ ହୋଇ ଦୁଇଟି ପଦ୍ମ ପରି ଅପୂର୍ବ ଶୋଭା ଧାରଣ କଲା । ଓଁକାର ରୂପ କର୍ଣ୍ଣିକା ଶୋଭିତ ମନ୍ତ୍ରାକ୍ଷଣମୟ ଦ୍ଵାତ୍ରିଂଶ ପଦ୍ମଦଳ ମଧ୍ୟରେ ସୁଖାସୀନ ହୋଇ ପ୍ରଭୁ କମଳା ଦେବୀଙ୍କର ମୁଖ ପଦ୍ମକୁ ନିରୀକ୍ଷଣ ପୂର୍ବକ ଅଟ୍ଟହାସ୍ୟ କଲେ । ତାଙ୍କର ସର୍ବାଙ୍ଗ ରତ୍ନ ଅଳଙ୍କାରରେ ଉଦ୍ଭାସିତ ହେଉଥିଲା ଏବଂ ସେ ଯୋଗ ମାର୍ଗରେ ଅଧିଷ୍ଠିତ ଥିଲେ । ହଳ ଲଙ୍ଗଳଧାରୀ ବଳଦେବ ତାଙ୍କ ପୃଷ୍ଠ ଦେଶରେ ସହସ୍ର ଫଣା ମଣ୍ଡଳ ବିସ୍ତାର ପୂର୍ବକ ଛତ୍ରାକାର କରି ରହିଥିଲେ । ରାଜା ଇନ୍ଦ୍ରଦ୍ୟୁମ୍ନ ଭଗବାନଙ୍କର ଏହି ରୂପ ଦର୍ଶନ କରି ଅତ୍ୟନ୍ତ ଆନନ୍ଦିତ ହେଲେ । ବୋଧହୁଏ ଜଗନ୍ନାଥଙ୍କର ଏହି ପ୍ରସଙ୍ଗକୁ ବିଚାରକୁ ନେଇ ଲକ୍ଷ୍ମୀନୃସିଂହ ବେଶ କରାଯାଉଛି ।