ରାଉରକେଲା,ସୁନ୍ଦରଗଡ଼ ଜିଲ୍ଲା ବଣେଇ ଉପଖଣ୍ଡ ଅଧିନସ୍ଥ ବର୍ଷୁଆଁ ଠାରେ ଥିବା ଏକ ଖଣି କମ୍ପାନୀର ଅତିଥି ଭବନରୁ ଆଜି ସକାଳୁ ଏକ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ ମୋତିରାମ ପାଲ୍ । ୬୦ ବର୍ଷିୟ ମୋତିରାମ ସେଠାରେ ଲଜିଷ୍ଟିକାଲ ବିଭାଗରେ ସାଇଡ୍ ଇନଚାର୍ଜ ଭାବେ କାର୍ଯ୍ୟ କରୁଥିଲେ । ଅବସର ପରେ ମଧ୍ୟ ସେ ସେଠାରେ କାର୍ଯ୍ୟ କରୁଥିଲେ । ତେବେ ଆଖପାଖରେ କୌଣସି ରହିବା ଯୋଗ୍ୟ ସୁବିଧା ନଥିବାରୁ ସେ କମ୍ପାନୀର ଅତିଥି ଭବନରେ ରହୁଥିଲେ । ଗତକାଲି ମଧ୍ୟ ରାତ୍ରରେ କିଛି ଦୁର୍ବୃତ ତାଙ୍କ ପ୍ରକୋଷ୍ଠରେ ପଶି ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ପଥରରେ ଛେଚିଥିଲେ ଓ ଏକ ଡଟ୍ ପେନ୍ କୁ ତାଙ୍କ ଗଳାରେ ଭର୍ତି କରିଦେଇଥିଲେ, ଯେଉଁଥିପାଇଁ ତାଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି । ଖବର ପାଇ ବର୍ଷୁଆଁ ପୋଲିସ ଆଜି ସକାଳେ ଘଟଣାସ୍ଥଳରେ ପହଂଚି ମୃତକଙ୍କ ଶବ ଜବତ କରିବା ସହ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ମୃତକଙ୍କ ରୁମ୍ ରୁ ଆକ୍ରମଣକାରୀଙ୍କ ଏକ ମୁଦି ମିଳିବା ପରେ ଅତିଥି ଭବନରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ପଚରାଉଚୁରା କରିଥିଲା ପୋଲିସ । ତନ୍ମଧ୍ୟରୁ ୩ ଜଣଙ୍କୁ ଥାନାକୁ ନେଇ ଅଧିକ ପଚରାଉଚୁରା କରୁଛି ପୋଲିସ । ତେବେ କିପରି ଓ କେଉଁ ପରିସ୍ଥିତିରେ ମୋତିରାମଙ୍କ ମୃତ୍ୟୁ ଘଟିଛି ତାହା ଅଦ୍ୟାବଧି ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏହା ପଛରେ ଲୁହା ପଥର ପରିବହନ ବ୍ୟବସାୟ ମୁଖ୍ୟ କାରଣ ବୋଲି କୁହାଯାଉଛି । କାରଣ ଏହି ପରିବହନ ଓ ଲୋଡିଂ ଦାୟୀତ୍ଵରେ ଥିଲେ ମୃତକ ମୋତିରାମ । କୌଣସି ଠିକା ସଂସ୍ଥା କିମ୍ବା ପରିବହନ ଓ ଲୋଡିଂ ବ୍ୟବସାୟ କରୁଥିବା ବ୍ୟବସାୟୀ ଓ ତାଙ୍କ ପଛରେ ଥିବା ଅସାମାଜିକ ବ୍ୟକ୍ତି ମାନେ ଏହି କାଣ୍ଡ ଘଟାଇ ଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
Related Stories
November 22, 2024