ଧର୍ମ କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନର ମହତ୍ତ୍ବ ସର୍ବାଧିକ । ପଞ୍ଚକ ପାଞ୍ଚଦିନ ନିଷ୍ଠାର ସହ ବ୍ରତ ପାଳନ କଲେ ଅଜସ୍ର ପୂଣ୍ଯ ମିଳିଥାଏ ବୋଲି ବିଶ୍ଵାସ ରହିଛି । ଅନାଦି କାଳରୁ ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳନର ମାହାତ୍ମ୍ୟ ରହିଛି । ଧର୍ମମାସର ଏହି ପରମ୍ପରାକୁ ଉଜ୍ଜୀବିତ କରିବା ପାଇଁ ଆରମ୍ଭ ହୋଇଛି ପଞ୍ଚକ ମହୋତ୍ସବ । ଏହି ଅବସରରେ ବଡଦାଣ୍ଡ ବଳଗଣ୍ଡି ସ୍ଥିତ ମାଉସୀମା ମନ୍ଦିର ସମ୍ମୁଖରେ ପବ୍ଲିକ ଫୋରମ ପକ୍ଷରୁ ୭ମ ପଞ୍ଚକ ମହୋତ୍ସବ ଉଦଘାଟିତ ହୋଇଛି । ମୁଖ୍ଯ ଅତିଥି ଭାବେ ସାଂସଦ ସୁଲତା ଦେଓ,ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ,ବିଜେଡି ରାଜ୍ୟ ଯୁବ ଉପସଭାପତି ଶୁଭାଶିଷ ଖୁଣ୍ଟିଆ ଉତ୍ସବକୁ ଉଦଘାଟନ କରି କହିଲେ ଧର୍ମମାସ କାର୍ତ୍ତିକରେ ଏଭଳି କାର୍ଯ୍ୟକ୍ରମ ଦ୍ବାରା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବ । ସମ୍ମାନିତ ଅତିଥି ଭାବେ ସମାଜସେବୀ ଚକ୍ରଧର ମହାପାତ୍ର, ବ୍ୟଙ୍ଗକବି ବଦ୍ରି ମିଶ୍ର, ମହୋତ୍ସବ କମିଟିର ଅଧ୍ୟକ୍ଷ ଜଗନ୍ନାଥ ଦାସ ମହାପାତ୍ର, ଉପଦେଷ୍ଟା ତଥା ପୁରୀ ଓକିଲ ସଂଘର ପୂର୍ବତନ ସଭାପତି ଭଗବାନ ମିଶ୍ର ଯୋଗ ଦେଇଥିଲେ ।
ପବ୍ଲିକ ଫୋରମର ସଭାପତି ଆର୍ତ୍ତତ୍ରାଣ ତ୍ରିପାଠୀ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ।ମହୋତ୍ସବ କମିଟିର କାର୍ଯ୍ଯକାରୀ ଅଧ୍ୟକ୍ଷ ଭୀମସେନ ପ୍ରଧାନ, ସାଧାରଣ ସମ୍ପାଦକ ବିଶ୍ୱନାଥ ମିଶ୍ର, ସଂଯୋଜକ ତଥା ସାମ୍ବାଦିକ ସତ୍ଯ ଦାଶ,ସଂଗଠନ ସମ୍ପାଦକ ଜ୍ୟୋତିପ୍ରକାଶ ଜେନା ସମସ୍ତ କାର୍ଯ୍ଯକ୍ରମକୁ ପରିଚାଳନା କରିଥିଲେ । ରାଧାମୋହନ ସଂକୀର୍ତ୍ତନ ଦଳ ପକ୍ଷରୁ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା । ପ୍ରବକ୍ତା ପଣ୍ଡିତ ଲଳିତ ମୋହନ ମହାପାତ୍ର ହରିକଥା ପ୍ରବଚନ ଶ୍ରୋତାମାନଙ୍କୁ ଶୁଣାଇଥିଲେ । ପ୍ରାରମ୍ଭରୁ ଅନୁଷ୍ଠାନର ଉପଦେଷ୍ଟା ରାଧେ ରାଧେ ଶ୍ରୀରାଧେ କହି ମଞ୍ଚରେ ଆଧ୍ୟାତ୍ମିକ ପରିବେଷଣ ସୃଷ୍ଟି କରିଥିଲେ । ଶେଷରେ ଲିଙ୍ଗରାଜ କଳା ନିକେତନ ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା । ରଘୁନାଥ ମହାନ୍ତି,ବିପିନ ବିହାରୀ ପଟ୍ଟନାୟକ, ବିଜୟକୃଷ୍ଣ ଦାସ,ବୁଦ୍ଧନାଥ ଷଣ୍ଢ, ସୂର୍ଯ୍ୟନାରାୟଣ ଦାଶ,ପ୍ରଦୀପ୍ତ ଦାସ, ସର୍ବେଶ୍ଵର ଭଟ୍ଟ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ କାର୍ତ୍ତିକ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।