
ଭଦ୍ରକ, ଧାମନଗର ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଆଜି ସକାଳ ୭ଟା ଠାରୁ ଆରମ୍ଭ ହୋଇଛି । ଅପରାହ୍ନ ୧ଟା ସୁଦ୍ଧା ମତଦାନ ୩୮.୭୫ ପ୍ରତିଶତ ରହିଛି । ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାତା ମାନେ ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ ।
ମୋଟ୍ ୨ ଲକ୍ଷ ୩୮ ହଜାର ୪୧୭ ଭୋଟର ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିବେ । ତନ୍ମଧ୍ୟରେ ପୁରୁଷ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୨୩ ହଜାର ୩୮ ରହିଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୧୫ ହଜାର ୩୪୬ ରହିଛି । ମୋଟ୍ ୨୫୨ଟି ବୁଥ୍ ରେ ଭୋଟ୍ ଗ୍ରହଣ ପାଇଁ ବ୍ୟବସ୍ଥା ହୋଇଛି । ସେଥିମଧ୍ୟରୁ ୧୧୦ଟି ସମ୍ବେଦନଶୀଳ ବୁଥ୍ ରହିଛି । ଭୋଟ୍ ଗ୍ରହଣ ପାଇଁ ପ୍ରତି ବୁଥ୍ ରେ ଜଣେ ଲେଖାଏଁ ପ୍ରିଜାଇଡିଂ ଅଫିସର ଏବଂ ୩ ଜଣ ଲେଖାଏଁ ପୋଲିଂ ଅଫିସର ନିୟୋଜିତ ହୋଇଛନ୍ତି । ୨୫ ଜଣ ମାଇକ୍ରୋ ପର୍ଯ୍ୟବେକ୍ଷକ ନିୟୋଜିତ ହୋଇଛନ୍ତି । ୧୦୦୮ ପୋଲିଂ ପାର୍ଟି ନିୟୋଜିତ ହୋଇଛନ୍ତି । ନିଜର ପରିଚୟ ପତ୍ର ଦେଖାଇ ଭୋଟ୍ ଦେଉଛନ୍ତି ଭୋଟର । ନିର୍ବାଚନ ମୈଦାନରେ ୫ ଜଣ ପ୍ରାର୍ଥୀ ରହିଛନ୍ତି । ୫ଟି ବୁଥ୍ ରେ ଇଭିଏମ୍ ରେ ସମସ୍ୟା ପାଇଁ କିଛି ସମୟ ପାଇଁ ଭୋଟଗ୍ରହଣ ବାଧାପ୍ରାପ୍ତ ହୋଇଥିଲା । ତେବେ ପରବର୍ତି ସମୟରେ ସେସବୁ ସ୍ଥାନରେ ଭୋଟଗ୍ରହଣ ସ୍ଵାଭାବିକ୍ ହୋଇଛି । କେତୋଟି ବୁଥ୍ ରେ ସାମାନ୍ୟ ଉତେଜନା ପ୍ରକାଶ ପାଇଥିବା ବେଳେ ଅନ୍ୟ ସମସ୍ତ ସ୍ଥାନରେ ଶାନ୍ତିଶୃଙ୍ଖଳାର ସହିତ ଭୋଟ୍ ଗ୍ରହଣ ଜାରୀ ରହିଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭୋଟ୍ ଗ୍ରହଣ କେନ୍ଦ୍ର ଓ ବିଭିନ୍ନ ସ୍ଥାନରେ ୨୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ୪ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରାଯାଇଛି । ଅପରାହ୍ନ ୧ଟା ସୁଦ୍ଧା ମତଦାନ ୩୮.୭୫ ପ୍ରତିଶତ ରହିଛି ।