-
୪ ଜଣଙ୍କୁ ଚାକିରୀରୁ ବହିଷ୍କାର, ୪ ଜଣଙ୍କୁ ବାଧ୍ୟତାମୂଳକ ଅବସର ଓ ୬ ଜଣଙ୍କ ପେନ୍ସନ୍ ସ୍ଥାୟୀଭାବେ ସ୍ଥଗିତ
-
ଏପର୍ଯ୍ୟନ୍ତ ୧୮୭ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର, ରାଜ୍ୟର ଆଉ ୧୪ ଜଣ ଦୁର୍ନତୀଗ୍ରସ୍ତ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର । ଏମାନଙ୍କ ମଧ୍ୟରେ ଜଣେ ସୁପରିନ୍ଟେଣ୍ଡିଂ ଇଞ୍ଜିନିୟର, ୨ ଜଣ ଆସିଷ୍ଟାଂଟ ଇଞ୍ଜିନିୟର, ଜଣେ ଡି.ଏସ୍.ପି., ଜଣେ ସିଡିପିଓ, ଜଣେ ଫରେଷ୍ଟ ରେଞ୍ଜ ଅଫିସର, ଜଣେ ତହସିଲଦାର, ଜଣେ ବି.ଡି.ଓ, ଜଣେ ସିନିଅର ମ୍ୟାନେଜର, ଜଣେ ଟ୍ୟାକ୍ସ କଲେକ୍ଟର, ଜଣେ ସପ୍ଲାଇ ଇନସପେକ୍ଟର ଓ ୩ ଜଣ ଜୁନିଅର ଇଞ୍ଜିନିୟର ଅନ୍ତର୍ଭୁକ୍ତ । ଏଥିରେ ୪ ଜଣଙ୍କୁ ଚାକିରୀରୁ ବହିଷ୍କାର କରାଯାଇଥିବା ବେଳେ, ୪ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ଓ ଅନ୍ୟ ୬ ଜଣଙ୍କ ପେନ୍ସନ୍ ସ୍ଥାୟୀଭାବେ ସ୍ଥଗିତ କରାଯାଇଛି । ପୂର୍ବରୁ ୧୭୩ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ବେଳେ, ଏହି ୧୪ ଜଣଙ୍କୁ ମିଶାଇ ବର୍ତମାନ ସୁଦ୍ଧା ୧୮୭ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ସୂଚନା ଅନୁଯାୟୀ କଟକ ପି.ଏଚ.ଡିଭିଜନର ସୁପରିଟେଣ୍ଡିଂ ଇଞ୍ଜିନିୟର ନବକିଶୋର ସାମଲଙ୍କ ନାମରେ ଟେଣ୍ଡର ଓ ଚୁକ୍ତି ପରିଚାଳନା ପ୍ରକ୍ରିୟାରେ ଅନିୟମିତତା ଓ ନିଜ ପଦବୀର ଅପବ୍ୟବହାର ଆଦି ଗମ୍ଭୀର ଅଭିଯୋଗ ଥିଲା । ତାଙ୍କୁ ପୂର୍ବରୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା । ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।
କୋରାପୁଟ ଲମତାପୁଟ ବ୍ଲକ୍ ର ପୂର୍ବତନ ସିଡିପିଓ ଶ୍ରୀମତୀ ସ୍ୱର୍ଣ୍ଣଭା ଦାସଙ୍କ ନାମରେ ଲାଂଚ ଗ୍ରହଣ ଅଭିଯୋଗରେ ଗୋଟିଏ ଦୁର୍ନୀତି ମାମଲା ଥିଲା । ସେଥିରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଅସାଧୁତା ଓ ଅପାରଗତା କାରଣରୁ ତାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି ।
ବୌଦ ଜିଲ୍ଲା କଂଟାମାଳ ବ୍ଲକ୍ର ପୂର୍ବତନ ବିଡିଓ ଦାମୋଦର ମହାଲିକ ଏକ ଲାଂଚ ଗ୍ରହଣ ତଥା ନିଜ ପଦବୀର ଅପବ୍ୟବହାର ଆଦି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଅସାଧୁତା ଓ ଅପାରଗତା କାରଣରୁ ତାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି । ନୟାଗଡ ଖଣ୍ଡପଡା ତହସିଲର ପୂର୍ବତନ ତହସିଲଦାର ପଂଚାନନ ବାରିକ ଗୋଟିଏ ଲାଂଚ ଗ୍ରହଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଅସାଧୁତା କାରଣରୁ ତାଙ୍କ ପେନ୍ସନକୁ ସ୍ଥାୟୀ ଭାବେ ବନ୍ଦ ରଖାଯାଇଛି ।
ଢେଙ୍କାନାଳ ମହିଳା ମାନଙ୍କ ଉପରେ ଅପରାଧ ଘଟଣାର ତଦନ୍ତ କରୁଥିବା ୟୁନିଟ୍ ପୂର୍ବତନ ଡିଏସ୍ପି ମଳୟ କିଶୋର ନାୟକଙ୍କ ନାମରେ ଲାଂଚ ଗ୍ରହଣର ଅଭିଯୋଗରେ ଗୋଟିଏ ଦୁର୍ନୀତି ମାମଲା ଥିଲା । ତାଙ୍କ ନାମର ଦୁଇଟି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ଆରମ୍ଭ କରାଯାଇଥିଲା । ଅସାଧୁତା ଓ ଅପାରଗତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଗଜପତି ଜିଲ୍ଲା ମୋହନା ବ୍ଲକ୍ ର ପୂର୍ବତନ ସପ୍ଲାଇ ଇନ୍ସପେକ୍ଟର ପ୍ରକାଶ ଚନ୍ଦ୍ର ପାତ୍ର ଆୟ ବହିର୍ଭୁତ ସଂପତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଅସାଧୁତା କାରଣରୁ ତାଙ୍କ ପେନ୍ସନକୁ ସ୍ଥାୟୀ ଭାବେ ବନ୍ଦ ରଖାଯାଇଛି ।
କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍ ର ପୂର୍ବତନ ଜୁନିଅର ଇଞ୍ଜିନିୟର ତଥା ବର୍ତମାନ ଦଶମନ୍ତପୁର ବ୍ଲକ୍ ର ଜୁନିଅର ଇଞ୍ଜିନିୟର ମନୋଜ କୁମାର ବେଉରା ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଅସାଧୁତା ଓ ଅପାରଗତା କାରଣରୁ ତାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି ।
ସୁନ୍ଦରଗଡ ମ୍ୟୁନିସ୍ପାଲଟିର ଆସିଷ୍ଟାଂଟ ଇଞ୍ଜିନିୟର ଜୟନ୍ତ ନାରାୟଣ ପଣ୍ଡାଙ୍କୁ ଅପାରଗତା କାରଣରୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି । ଢେଙ୍କାନାଳ ଆରଡବ୍ଲୁଏସଏସ୍ ଡିଭିଜନ୍ ର ପୂର୍ବତନ ଆସିଷ୍ଟାଂଟ ଇଞ୍ଜିନିୟରପ୍ରସନ୍ନ କୁମାର ପାଣି । ଅର୍ଥ ଆତ୍ମସାତ ଅଭିଯୋଗରେ ଗୋଟିଏ ଦୁର୍ନୀତି ମାମଲାରେ ସେ ଦୋଷୀସାବ୍ୟସ୍ତ ହୋଇଛନ୍ତି । ଅସାଧୁତା କାରଣରୁ ତାଙ୍କ ପେନ୍ସନ ଓ ଗ୍ରାଚ୍ୟୁଇଟିକୁ ସ୍ଥଗିତ ରଖାଯାଇଛି ।
କୋରାପୁଟ ନନ୍ଦପୁର ବ୍ଲକ୍ ର ଦାୟିତ୍ୱରେ ଥିବା ପୂର୍ବତନ ଜୁନିଅର ଇଞ୍ଜିନିୟର ଦୁଷ୍ମନ୍ତ କୁମାର ନାୟକ ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଅସାଧୁତା କାରଣରୁ ତାଙ୍କ ପେନ୍ସନକୁ ସ୍ଥାୟୀ ଭାବେ ବନ୍ଦ ରଖାଯାଇଛି ।
ସେହିପରି ଭୁବନେଶ୍ୱର ଓବିସିସିର ପୂର୍ବତନ ସିନିଅର ମ୍ୟାନେଜର(ଟେଣ୍ଡର) ସୋମନାଥ ପଣ୍ଡା ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଅସାଧୁତା କାରଣରୁ ତାଙ୍କ ପେନ୍ସନକୁ ସ୍ଥାୟୀ ଭାବେ ବନ୍ଦ ରଖାଯାଇଛି । ଭୁବନେଶ୍ୱର ଆଇଆରସି ଭିଲେଜ ମେେଂଟନାନ୍ସ ସେକ୍ସନର ପୂର୍ବତନ ଜୁନିଅର ଇଞ୍ଜିନିୟର କୁଞ୍ଜବିହାରୀ ମହାପାତ୍ର ଅର୍ଥ ଆତ୍ମସାତ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଅସାଧୁତା କାରଣରୁ ତାଙ୍କ ପେନ୍ସନକୁ ସ୍ଥାୟୀ ଭାବେ ବନ୍ଦ ରଖାଯାଇଛି ।
ତାଳଚେର ମ୍ୟୁନିସପାଲ୍ଟିର ପୂର୍ବତନ ଟ୍ୟାକ୍ସ କଲେକ୍ଟର କ୍ଷୀରୋଧ ଚନ୍ଦ୍ର ରାଉତଙ୍କୁ ଅପାରଗତା କାରଣରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ବୌଦ ଫରେଷ୍ଟ ଡିଭିଜନର ପୂର୍ବତନ ରେଞ୍ଜ ଅଫିସର ତଥା ବର୍ତମାନ ସୁନ୍ଦରଗଡ ବଡଗାଁ ରେଞ୍ଜରେ ଅବସ୍ଥାପିତ ଫରେଷ୍ଟ ରେଞ୍ଜର ଦିଲ୍ଲିପ କୁମାର ଦିଗଲ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ସେ ଦୋଷୀସାବ୍ୟସ୍ତ ହୋଇଛନ୍ତି । ଅସାଧୁତା ତଥା ଅପାରଗତା କାରଣରୁ ତାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି ।