
ଭୁବନେଶ୍ୱର,ଅତୀତରେ ଉପନିର୍ବାଚନରେ ଶାସକ ବିଜୁ ଜନତା ଦଳ କଳ, ବଳ, କୌଶଳ ବ୍ୟବହାର କରି ବୁଥ୍ ରିଗିଂ, ଭୋଟ ବାକ୍ସକୁ ବୋହିନେବା, ଜୋର ଜବରଦସ୍ତ ବାଲାଟ ଉପରେ ଶାସକ ଦଳ ସପକ୍ଷରେ ମୋହର ମାରିବା, ଅନୈତିକ ବେଆଇନ, ଅସାମ୍ବିଧାନିକ, ଅଗଣତାନ୍ତ୍ରିକ କାର୍ଯ୍ୟ କରି ଭୋଟ ହାତେଇଥିଲା । ଏଥର ମଧ୍ୟ ଧାମନଗର ଉପନିର୍ବାଚନରେ ବିଜୁ ଜନତା ଦଳ ପୋଲିସ ପ୍ରଶାସନ ଓ ଏସ୍ଏଚଜି ସିଆରପି, ଏମବିକେ ମା’ମାନଙ୍କ ସହାୟତାରେ ଟଙ୍କା ବାଂଟିବା, ଯେଉଁ ପଂଚାୟତ ଶାସକ ଦଳକୁ ଜିତାଇବ ତାଙ୍କୁ କୋଟିଏ ଟଙ୍କା ପୁରସ୍କାର ଦେବାକୁ କହି ଅନୈତିକ ପ୍ରତିଶ୍ରୁତି ମୁକ୍ତ, ନିରପେକ୍ଷ, ଅବାଧ ନିର୍ବାଚନର ନମୁନା ନୁହେଁ । ଏଥିଲାଗି ଓଡ଼ିଶାବାସୀ ଏବଂ ଧାମନଗରବାସୀ ସର୍ତକ ରହି ନିର୍ଭୟରେ ନେତାଙ୍କୁ ଚୟନ କରି ମତଦାନ କରିବାକୁ ବିନମ୍ର ଅନୁରୋଧ କରିଛନ୍ତି ରାଜ୍ୟ ସାଧାରଣ ସମ୍ପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ।
ଆସନ୍ତା ୩ ତାରିଖ ନିର୍ବାଚନ ଥିବାରୁ ଆଜି ଓ ଆସନ୍ତାକାଲି ଦୁଇଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ଦୁଇ ଦିନରେ ବିଜୁ ଜନତା ଦଳର ବ୍ୟାପକ ଅନିୟମିତତା କରିବାର ସମ୍ଭାବନାକୁ ଏଡାଇ ଦିଆନଯାଇପାରେ । ଭୋଟରଙ୍କ ଉପରେ ବିଶ୍ୱାସ ରଖି ଶେଷ ୨ଦିନ ମଦ, ମାଂସ ଟଙ୍କା ବଂଟାରୁ ନିବୃତ ରହୁ ଶାସକ ବିଜୁ ଜନତା ଦଳ । ଅବାଧ, ନିରପେକ୍ଷ ଓ ମୁକ୍ତ ନିର୍ବାଚନ ନିମନ୍ତେ ସିଇଓ ବ୍ୟାପକ ଏବଂ କଡାକଡି ବ୍ୟବସ୍ଥା ଗ୍ରହଣ କରିବାକୁ ଡ. ଲେଖାଶ୍ରୀ ଦାବି କରିଛନ୍ତି ।
ଆଜି ସାମ୍ବାଦିକ ସମ୍ମିଳନୀ କରି ଡ. ଲେଖାଶ୍ରୀ କହିଛନ୍ତି ଯେ, ଧାମନଗରରେ ବିଜେଡିର ଅନୈତିକ କାର୍ଯ୍ୟ ଲାଗି ବିଜେପି ପ୍ରମାଣ ସହ ସିଇଓ ଅଫିସରେ ଅଭିଯୋଗ କରୁଛି । କିନ୍ତୁ ଆଶ୍ଚର୍ଯ୍ୟ କଥା ଯେ, ଶାସକ ବିଜେଡି ବିନା ପ୍ରମାଣରେ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ପାଖରେ ଅଭିଯୋଗ ପତ୍ର ଦେଉଛି । ଯଦି ଶାସକ ବିଜେଡି ପାଖରେ ଭାରତୀୟ ଜନତା ପାର୍ଟିର ନିର୍ବାଚନ ବିଧି ଉଲଘଂନ କରିବାର ଭିଡିଓ କିମ୍ବା ଫଟୋ ଅଛି ତାହାଲେ ସିଇଓଙ୍କ ପାଖରେ ଦାଖଲ କରୁନାହାନ୍ତି କାହିଁକି । କେବଳ ବିନା ପ୍ରମାଣରେ ସିଇଓଙ୍କ ପାଖକୁ ଆସି ପ୍ରହସନ କରୁଛି ବିଜେଡି । ଓଲଟା ମିଛ ଅଭିଯୋଗ ନକରି ବରଂ ଭାରତୀୟ ଜନତା ପାର୍ଟି କେଉଁ ଆଚରଣ ବିଧି ଉଲଘଂନ କରିଛନ୍ତି ବିଜେଡି ତାହାକୁ ସ୍ପଷ୍ଟ କରୁ ବୋଲି ଡ. ଲେଖାଶ୍ରୀ ଆହ୍ୱାନ ଦେଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ଲିଗାଲ ସେଲ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।