କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଶିକ୍ଷିତ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା ନେଇ ପୁରୀରେ ଏକ ନୁଯୁକ୍ତି ମେଳା ଅନୁଷ୍ଠିତ ହୋଇଛି। ଏଥିରେ ଅନେକ କମ୍ପାନୀର ପ୍ରତିନିଧି ଏବଂ ଶତାଧିକ ଶିକ୍ଷିତ ଯୁବକ ଯୁବତୀ ସାମିଲ ହୋଇଥିଲେ। କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଏବଂ ପୁରୀର ସାମସଫ୍ଟ କମ୍ପ୍ୟୁଟରର ମିଳିତ ଆନୁକୂଲ୍ୟରେ ଏହି ମେଳା ଅନୁଷ୍ଠିତ ହୋଇଥିଲା। ଯୋଗ୍ୟତା ଆଧାରରେ ଅନେକ ଯୁବକ ଯୁବତୀ ବିଭିନ୍ନ କମ୍ପାନୀ ପକ୍ଷରୁ ନିଯୁକ୍ତି ପତ୍ର ପାଇ ବେଶ୍ ଖୁସି ପ୍ରକଟ କରିଛନ୍ତି। ଦିନକୁ ଦିନ ବେକାରୀ ସମସ୍ୟା ବୃଦ୍ଧି ପାଉଥିବା ବେଳେ ନିଯୁକ୍ତି ନପାଇ ଅନେକ ଶିକ୍ଷିତ ଯୁବକ ଯୁବତୀ ମନସ୍ତାପରେ ରହୁଛନ୍ତି। ତେବେ ଏହି ଶିକ୍ଷିତ ଯୁବକ ଯୁବତୀଙ୍କୁ ନିଜ ଯୋଗ୍ୟତା ଆଧାରରେ ନିଯୁକ୍ତି ସୁଯୋଗ ଦେବାପାଇଁ ପୁରୀ ନାୟକ ପ୍ଲାଜା ଠାରେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଏବଂ ସାମସଫ୍ଟ କମ୍ପ୍ୟୁଟର ପକ୍ଷରୁ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଛି। ଏହି ମେଳାରେ ଅନେକ କମ୍ପାନୀ ସାମିଲ ହୋଇ ଶିକ୍ଷିତ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ପୁରୀ ସହରର ଅନେକ ଶିକ୍ଷିତ ଯୁବକ ଯୁବତୀ ଚାକିରି ନପାଇ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଏହାର ସମାଧାନ ପାଇଁ ପୁରୀର ସାମସଫ୍ଟ କମ୍ପ୍ୟୁଟର ଏଜୁକେସନ ପକ୍ଷରୁ ହୋଇଥିବା ଏହି ଉଦ୍ୟମକୁ ସ୍ବାଗତ କରାଯାଇଛି। ଏହି ନିଯୁକ୍ତି ମେଳାରେ ସୂଚନା ପ୍ରଯୁକ୍ତି, ଫାର୍ମାସୀ, ବିଟେକ, ନର୍ସିଂ ଆଦି ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ପ୍ରଦାନ କରାଯାଇଥିଲା। ଅନେକ ଶିକ୍ଷିତ ଯୁବକ ଯୁବତୀ ବିଭିନ୍ନ ସମସ୍ୟା ଯୋଗୁଁ କେଉଁ କମ୍ପାନୀରେ ଚାକିରୀ କରିବେ, କେଉଁ କମ୍ପାନୀର କ’ଣ କ’ଣ ପଦବୀ ଖାଲି ଅଛି ତାହା ସଠିକ୍ ସମୟରେ ଜାଣିପାରିନଥାନ୍ତି। ଏଣୁ ଏମାନଙ୍କୁ ବିଭିନ୍ନ କମ୍ପାନୀରେ ନିଯୁକ୍ତି ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ସହରରେ ବିଭିନ୍ନ ଅନୁଷ୍ଠାନ ସହ ଯୋଡି ହୋଇ ନିଯୁକ୍ତି ମେଳା କରି ଆସୁଛନ୍ତି। ଏଭଳି କାର୍ଯ୍ୟକ୍ରମ ହେଲେ ଆଗାମୀ ଦିନରେ ଅନେକ ନିଯୁକ୍ତି କ୍ଷେତ୍ରରେ ଥିବା ସମସ୍ୟାର ସମାଧାନ ହୋଇପାରିବ ବୋଲି ମେଳାରେ ଯୋଗ ଦେଇଥିବା ଅତିଥି ମାନେ କହିଛନ୍ତି।ଏହି ନିଯୁକ୍ତି ମେଳାକୁ ପୁରୀ ଏସିଏସ୍ କଲେଜର ପୂର୍ବତନ ଭାଇସ୍ ପ୍ରିନ୍ସପାଲ ଶଙ୍କର୍ଷଣ ଦାସ ଉଦଘାଟନ କରିଥିଲେ। ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ଅଧିନରେ ଥିବା ନିଯୁକ୍ତି ଅଧିକାରୀ ତପନ କୁମାର ରାଉତ, ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ବିଶ୍ବନାଥ ପଣ୍ଡା ଓ ପୁରୀ ନ୍ୟୁଜ7ର ବ୍ୟୁରୋ ଚିଫ୍ ଚିତ୍ତରଞ୍ଜନ ମହାନ୍ତି ଯୋଗ ଦେଇଥିଲେ।
Related Stories
March 28, 2024