
ନୂଆଦିଲ୍ଲୀ, କେନ୍ଦ୍ର ସରକାର ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥ ମାର୍ଗଦର୍ଶିକା ଓ ଡିଜିଟାଲ ମିଡିଆ ଆଚାର ସଂହିତା) ନିୟମାବଳୀ ୨୦୨୧ରେ ସଂଶୋଧନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ୨୮ ଅକ୍ଟୋବର, ୨୦୨୨ରେ ଏ ସମ୍ପର୍କରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଅବସରରେ ଗଣମାଧ୍ୟମକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ରାଜୀବ ଚନ୍ଦ୍ର ଶେଖର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତୀୟ ନାଗରିକଙ୍କ ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ ସୁନିଶ୍ଚିତ ପଦକ୍ଷେପ ଗ୍ରହଣ କରାଯାଉଛି । ଦେଶ ନିଜ ନାଗରିକଙ୍କ ଏବଂ ଡିଜିଟାଲ ନାଗରିକଙ୍କ ଅଧିକାରକୁ ସୁରକ୍ଷା ଦେବା ଲାଗି ଏକ ଟ୍ରଷ୍ଟି ଭାବେ କାମ କରୁଛି ।
ମୁକ୍ତ, ନିରାପଦ, ବିଶ୍ଵସନୀୟ ଓ ଉତ୍ତରଦାୟୀ ଇଣ୍ଟରନେଟ୍ ସେବା ସୁନିଶ୍ଚିତ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ବରୂପ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ଏହି ସଂଶୋଧନ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ଦେଶର ଡିଜିଟାଲ ନାଗରିକଙ୍କ ଅଧିକାର ସୁରକ୍ଷା ପ୍ରତି ଗୁରୁତ୍ବାରୋପ କରାଯାଇଛି । ଆପତ୍ତିଜନକ ବିଷୟବସ୍ତୁ କିମ୍ବା ବ୍ୟବହାରକାରୀ ବା ୟୁଜରଙ୍କ ଆକାଉଣ୍ଟ ବାତିଲ କରିବା ସଂକ୍ରାନ୍ତରେ ଆସୁଥିବା ଅଭିଯୋଗ ସଂକ୍ରାନ୍ତରେ ମଧ୍ୟସ୍ଥ (ଇଣ୍ଟରମିଡିଆରୀ)ଙ୍କ ନିଷ୍କ୍ରିୟତା ଏବଂ ପଦକ୍ଷେପ ସଂକ୍ରାନ୍ତରେ କେତେକ ଅଭିଯୋଗ ଆସିଥିଲା। ୟୁଜରଙ୍କ ହିତ ରକ୍ଷା ଉଦ୍ଦେଶ୍ୟରେ ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥ ମାର୍ଗଦର୍ଶିକା ଓ ଡିଜିଟାଲ ମିଡିଆ ଆଚାର ସଂହିତା) ନିୟମାବଳୀ ୨୦୨୧ରେ ସଂଶୋଧନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।
ନୂଆ ନିୟମ କାର୍ଯ୍ୟକାରୀ ହେଲେ ମଧ୍ୟସ୍ଥମାନଙ୍କୁ ଉଦ୍ଦେଶ୍ୟମୂଳକ ପାଇଁ ପ୍ରସାରିତ କରାଯାଇଥିବା କୌଣସି ମିଥ୍ୟା ସୂଚନା କିମ୍ବା ଆପତ୍ତିଜନକ ସୂଚନାର ପ୍ରସାର ଉପରେ ଅଙ୍କୁଶ ଲଗାଇବା ପାଇଁ ଉତ୍ତରଦାୟୀ ରହିବେ । ଫଳରେ ମଧ୍ୟସ୍ଥମାନଙ୍କୁ ଏହା ଗୁରୁତ୍ୱପୂର୍ଣ୍ଣ ଭାବେ ଉତ୍ତରଦାୟୀ କରିବ ।
ମଧ୍ୟସ୍ଥମାନେ ଭାରତୀୟ ସମ୍ବିଧାନର ଧାରା ୧୪, ୧୯ ଓ ୨୧ ଅଧୀନରେ ଭାରତୀୟ ନାଗରିକମାନଙ୍କୁ ପ୍ରଦାନ କରାଯାଇଥିବା ଅଧିକାରକୁ ସମ୍ମାନ ଜଣାଇବେ ।
ନୂଆ ନିୟମ ବିଷୟରେ ସୂଚନା ଦେଇ ଶ୍ରୀ ରାଜୀବ ଚନ୍ଦ୍ରଶେଖର କହିଥିଲେ ଯେ ଏସବୁ ସଂଶୋଧନ ଆମ ଡିଜିଟାଲ ନାଗରିକମାନଙ୍କ ପାଇଁ ଇଣ୍ଟରନେଟକୁ ଅଧିକ ମୁକ୍ତ, ନିରାପଦ, ବିଶ୍ଵସନୀୟ ଓ ଉତ୍ତରଦାୟୀ କରିବ ।
ସେ କହିଛନ୍ତି ଯେ ଇଣ୍ଟରନେଟକୁ ନିରାପଦ ଓ ବିଶ୍ଵସନୀୟ ରଖିବା ଲାଗି ସାଧାରଣ ଲକ୍ଷ୍ୟ ହାସଲ କରିବା ନିମନ୍ତେ ସରକାର ମଧ୍ୟସ୍ଥମାନଙ୍କ ସହିତ ସହଯୋଗ ସ୍ଥାପନ କରି କାର୍ଯ୍ୟ କରିବାକୁ ଚାହୁଁଛନ୍ତି । ସବୁ ଭାରତୀୟଙ୍କ ପାଇଁ ଇଣ୍ଟରନେଟକୁ ନିରାପଦ ଓ ବିଶ୍ଵସନୀୟ କରିବା ଲାଗି ସରକାର ଓ ମଧ୍ୟସ୍ଥଙ୍କ ମଧ୍ୟରେ ଏକ ନୂଆ ଭାଗିଦାରୀ ପାଇଁ ଏହି ନିୟମାବଳୀରେ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ଚନ୍ଦ୍ରଶେଖର ଆଶ୍ବାସନା ଦେଇଥିଲେ ।