କନ୍ଧମାଳ, ମାଓବାଦୀ ମାନେ ପୋଲିସକୁ ଦେଇଛନ୍ତି ଖୋଲା ଚ୍ୟାଲେଞ୍ଜ। ରବିବାର ସକାଳେ ପୋଲିସ ଇନଫର୍ମର ସନ୍ଦେହରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ନିକଟ ଟିକରବାଜୁ ଗ୍ରାମର ନୀଳକଣ୍ଠ ମଲ୍ଲିକଙ୍କୁ ନିର୍ମମ ଭାବେ ହତ୍ୟା କରିବାର ୬ ଘଣ୍ଟା ନ ପୂରୁଣୁ ସନ୍ଧ୍ୟାରେ ରାସ୍ତା କାମ କରୁଥିବା ଏକ ଠିକା ସଂସ୍ଥାର ଜେସିବି ଓ ଟ୍ରାକ୍ଟରକୁ ଜାଳି ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଗ୍ରାମର ଅନ୍ୟ ଠିକାଦାର, ଗାଁ ମୁଖିଆ ଓ ଅନ୍ୟ କେତକ ପୋଲିସର ଇନଫର୍ମର ସାଜିଛନ୍ତି ସେମାନେ ଏଥିରୁ ନିବୃତ ନ ରହିଲେ ନୀଳକଣ୍ଠଙ୍କ ପରି ହତ୍ୟା କରିବାକୁ ପୋଷ୍ଟରରେ ଧମକ ଦେଇଛି ଲାଲବାହିନୀ । ଭାରତୀୟ କମ୍ୟୁନିଷ୍ଟ ପାର୍ଟି କେକେବିଏନ ଡିଭିଜନ ଏହା କରିଥିବା ନେଇ ଘଟଣାସ୍ଥଳରେ ଛାଡିଥିବା ପୋଷ୍ଟରରେ ଉଲ୍ଲେଖ କରାଯାଇଛି । ଗୋଟିଏ ଦିନରେ ଦୁଇ ଦୁଇଟି ମାଓ ହମଲାରେ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି । ଭୟରେ ଘରୁ କେହି ପଦାକୁ ବାହାରୁନାହାନ୍ତି ।
ଗତ ୧୧ ତାରିଖରେ ଏହି ଜଙ୍ଗଲରେ କମ୍ବିଙ୍ଗ ବେଳେ ହୋଇଥିବା ଗୁଳି ବିନିମୟରେ ଜଣେ କ୍ୟାଡର ମହିଳା ମାଓବାଦୀର ମୃତ୍ୟୁ ଘଟାଇଥିଲା । ଏଥିସହ ପୋଲିସ ସର୍ଚ୍ଚ ଅପରେସନ କରି ବହୁ ମାଓ ସାମଗ୍ରୀ ଜବତ କରିଥିଲା । ତେବେ ଜିଲାର ବିଭିନ୍ନ ଅଞ୍ଚଳରେ ପୋଲିସର କମ୍ବିଙ୍ଗ ଅପରେସନ ଚାଲିଛି, କନ୍ଧମାଳକୁ ମାଓ ମୁକ୍ତ କରାଯିବ ବୋଲି ପୋଲିସ କହୁଛି।