
ଭୁବନେଶ୍ୱର, ଓଡ଼ିଶାରେ କମ୍ୟୁନିଷ୍ଟ ପାର୍ଟିର ଅନ୍ୟତମ ପ୍ରତିଷ୍ଠାତା, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, କୃଷକ ଆନ୍ଦୋଳନର କିମ୍ବଦନ୍ତୀ ପୁରୁଷ, ଶିକ୍ଷାବିତ୍ ତଥା ପୂର୍ବତନ ବିଧାୟକ ପ୍ରାଣନାଥ ପଟ୍ଟନାୟକଙ୍କର ୫୨ତମ ସ୍ମୃତି ସମାରୋହ ଗତ ୫ ତାରିଖଦିନ ସିପିଆଇର ରାଜ୍ୟ ଦପ୍ତର ଭଗବତୀ ଭବନଠାରେ ଅନୁଷ୍ଠିତ ହୋଇଯାଇଛି ।
ଦଳର ବରିଷ୍ଠ ନେତା କମ୍ରେଡ଼ ଆଶିଷ କାନୁନ୍ଗୋଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ସିପିଆଇର ରାଜ୍ୟ ସମ୍ପାଦକ ଅଭୟ ସାହୁ, ଜାତୀୟ କାର୍ଯ୍ୟକାରୀ କମିଟି ସଭ୍ୟ ରାମକୃଷ୍ଣ ପଣ୍ଡା, ବିଶ୍ୱ ଶିକ୍ଷକ ମହାସଂଘର ସଭାପତି ଡ. ଅମିୟ ମହାନ୍ତି ଓ ଭୁବନେଶ୍ୱର ଅଂଚଳ କମିଟିର ସମ୍ପାଦକ ସୁର ଜେନା ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କମ୍ରେଡ଼ ପ୍ରାଣନାଥ ପଟ୍ଟନାୟକଙ୍କ ବିପ୍ଳବୀ ଓ ସଂଗ୍ରାମମୟ ଜୀବନ ସମ୍ପର୍କରେ ସ୍ମୃତିଚାରଣ କରିବା ସଙ୍ଗେ ସଙ୍ଗେ ବର୍ତମାନ ଭାରତବର୍ଷରେ ସାମ୍ପ୍ରଦାୟିକ ଫାସୀବାଦୀ ମତାଦର୍ଶରେ ବିଶ୍ୱାସ କରୁଥିବା ଶକ୍ତିମାନେ ଦେଶର ଗଣତନ୍ତ୍ର, ସମ୍ବିଧାନ ଓ ଧର୍ମନିରପେକ୍ଷତାକୁ ବିପନ୍ନ କରିଚାଲିଥିବାବେଳେ ସମସ୍ତ ବାମପନ୍ଥୀ, ଗଣତାନ୍ତ୍ରିକ ଓ ଧର୍ମ ନିରପେକ୍ଷ ଶକ୍ତି ଐକ୍ୟବଦ୍ଧ ହୋଇ ସଂଗ୍ରାମ ଚଳାଇବା ପାଇଁ ଆହ୍ୱାନ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବସନ୍ତ ପାଇକରାୟ, ଜୟନ୍ତ ଦାସ, ଲୋକନାଥ ଭୋଇ, କୈଳାସ ପୁହାଣ, ଶରତ ସ୍ୱାଇଁ, ଶଙ୍କର ବାରିକ ଓ ଛେତମ୍ବର ଭୋଇ ପ୍ରମୁଖ ଉପସ୍ଥିତ ରହି ପ୍ରୟାତ ନେତାଙ୍କ ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧା ନିବେଦନ କରିଥିଲେ ।