କନ୍ଧମାଳ, କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ହାତୀମୁଣ୍ଡା ପଞ୍ଚାୟତର କୁମ୍ଭାରିପଦାର ଗ୍ରାମ ନିକଟରେ ଥିବା ପାହାଡ ଭୁସ୍ଖଳନ ଘଟଣାକୁ ଜିଲାପାଳ ଆଶିଷ ଈଶ୍ଵର ପାଟିଲ ଗୁରୁତର ସହ ଗ୍ରହଣ କରି ପଦକ୍ଷେପ ନେଇଛନ୍ତି। ଏବେ ଲଘୁଚାପଜନିତ ଲଗାଣ ବର୍ଷା କାରଣରୁ ବୁଧବାର କୁମ୍ଭାରିପଦାର ଗ୍ରାମବାସୀଙ୍କୁ ନିଜ ଗ୍ରାମରୁ ହାତୀମୁଣ୍ଡା ଠାରେ ରହିଥିବା ସରକାରୀ ବିଦ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଉକ୍ତ ଗ୍ରାମର ପ୍ରାୟ ୪୦୦ ଲୋକଙ୍କୁ ବିଦ୍ୟାଳୟକୁ ନିଆଯାଇ ସୁରକ୍ଷିତ ବ୍ୟବସ୍ଥା କରାଯାଇଛି। ପ୍ରଥମେ ସେମାନଙ୍କୁ ରୋଷେଇ କରି ଖାଇବା ପାଇଁ ଚାଉଳ, ଡାଲି ଆଦି ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯାଇଥିଲା। ହେଲେ ସେମାନେ ରୋଷେଇ କରି ଖାଇବା ସମ୍ଭବ ନ ଥିବାରୁ କିଛି ଲୋକ ପୁଣି ଥରେ ଘରକୁ ଫେରିଥିଲେ। ଫଳରେ ଗୁରୁବାର ସେମାନଙ୍କୁ ବିଦ୍ୟାଳୟ ପରିସରରେ ରନ୍ଧା ଖାଦ୍ୟ ଯୋଗାଇଦେବାକୁ ସ୍ଥାନୀୟ ପ୍ରଶାସନ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଥିବା ବିଡ଼ିଓ ଗଦାଧର ପାତ୍ର କହିଛନ୍ତି।
ବୁଧବାର ବିଡିଓ ଏବଂ ଅତିରିକ୍ତ ତହସିଲଦାର ଭବେଶ ମାଝୀଙ୍କ ଉପସ୍ଥିତିରେ ଅନ୍ତରଙ୍ଗ ଯୁବ ସଂଘର ଦିଲୀପ କୁମାର ସାହୁ, ରୁଦ୍ରମାଧବ ବେହେରା, ମହେନ୍ଦ୍ର ଦାସ, ପ୍ରଭଞ୍ଜନ ପ୍ରଧାନ ଏବଂ ଜାଗୃତିର ଧନେଶ୍ଵର ସାହୁ, ସ୍ଥାନୀୟ ସରପଞ୍ଚ ନବନିତା କପାଟପାତ୍ର ପ୍ରମୁଖଙ୍କ ସହଯୋଗରେ ଏହି ସ୍ଥାନାନ୍ତରିତ କରାଯାଇଛି। ସେହି ସ୍ଥାନ ଏବେ ସମ୍ପୂର୍ଣ ବିପଦପୂର୍ଣ୍ଣ ରହିଥିବାରୁ ଏବେ ସର୍ଭେ କରାଯାଇ ଗ୍ରାମବାସୀଙ୍କୁ ସେହି ଅଞ୍ଚଳରୁ ସମ୍ପୂଣ୍ଣ ସ୍ଥାୟୀ ଭାବେ ଅନ୍ୟତ୍ର ସ୍ଥାନାନ୍ତରିତ କରାଯିବାକୁ ଜିଲା ପ୍ରଶାସନ ପ୍ରୟାସ କରୁଛି। ଏଥିପାଇଁ ନିଆଯାଉଥିବା ପଦକ୍ଷେପକୁ ଟିକେ ସମୟ ଲାଗିପାରେ ବୋଲି ବିଡ଼ିଓ ଗଦାଧର ପାତ୍ର କହିଛନ୍ତି ।
ସୂଚନାଯୋଗ୍ୟ, ସେପ୍ଟେମ୍ବରରେ ହୋଇଥିବା ଲଗାଣ ବର୍ଷାରେ କୁମ୍ଭରିପଦାର ଗ୍ରାମ ନିକଟରେ ଥିବା ପାହାଡ଼ ଲଗାତାର ଦୁଇଥର ଭୁସ୍ଖଳନ ହୋଇଥିଲା । ଏହାପୂର୍ବରୁ ୨୦୧୮ରେ ପ୍ରଥମ ଥର ପାଇଁ ଭୁସ୍ଖଳନ ହୋଇଥିଲା। ତେଣୁ ସେହି ସ୍ଥାନ ଲୋକଙ୍କ ପାଇଁ ଆଉ ସୁରକ୍ଷିତ ନଥିବା ପ୍ରଶାସନ ହୃଦୟଙ୍ଗମ କରିଛି। ଚଳିତ ବର୍ଷ ଭୁସ୍ଖଳନ ପରେ ବିଡ଼ିଓ ଶ୍ରୀ ପାତ୍ର ସେହି ସ୍ଥାନକୁ ବାରମ୍ବାର ଯିବା ସହ ଲୋକଙ୍କ ସୁରକ୍ଷା ପାଇଁ ଜିଲାପାଳଙ୍କ ସହ ଆଲୋଚନା କରି ଏବେ ପଦକ୍ଷେପ ନିଆଯାଇଥିବା ଜଣାପଡିଛି।