ଭୁବନେଶ୍ୱର – ଅଖିଳ ଭାରତ ନିର୍ମାଣ ଶ୍ରମିକ ମହାସଂଘ ପକ୍ଷରୁ ଦେଶବ୍ୟାପୀ ଦିଆଯାଇଥିବା ନର୍ମାଣ ଶ୍ରମିକମାନଙ୍କର ପ୍ରତିବାଦ ଦିବସ ଆଜି ଓଡ଼ିଶାରେ ଶ୍ରମ କମିଶନଙ୍କ ଅଫିସ୍ ସମ୍ମୁଖରେ ଅନୁଷ୍ଠିତ ହୋଇଛି । ନିର୍ମାଣ ଶ୍ରମିକମାନଙ୍କର ୧୩ ଦଫା ଦାବିକୁ ନେଇ ସ୍ଥାନୀୟ ରେଳ ଷ୍ଟେସନରୁ ଏକ ଶୋଭାଯାତ୍ରା ବାହାରି ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ନିର୍ମାଣ ଶ୍ରମିକମାନଙ୍କୁ ମାସିକ ସର୍ବନିମ୍ନ ମଜୁରୀ ୨୬ ହଜାର ଟଙ୍କା, ପେନ୍ସନ ୩ ହଜାର ଟଙ୍କା, ଗୃହ ନିର୍ମାଣ ଲାଗି ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରଦାନ କରିବା, ଇପିଏଫ୍ଓ ଇଏସ୍ଆଇ ଦେବାର ବ୍ୟବସ୍ଥା, ଶ୍ରମ କୋଡ୍କୁ ବାତିଲ୍ କରିବା, ନିର୍ମାଣ ଶ୍ରମିକ ବୋର୍ଡ଼କୁ ଅକାମୀ ନକରିବା, ୮ ଘଂଟାରୁ ଉଦ୍ଧ୍ୱର୍ ସମୟ କାମ କରିବା ପରେ ଓଭର ଟାଇମ୍ ବୋନସ ପ୍ରଦାନ କରିବାକୁ ଶ୍ରମିକନେତାମାନେ ଦାବି କରିଥିଲେ ।
ଅଖିଳ ଭାରତ ନିର୍ମାଣ ଶ୍ରମିକ ମହାସଂଘର କାର୍ଯ୍ୟକାରୀ ସଭାପତି ଓ ପୂର୍ବତନ ବିଧାୟକ ରାଧାକାନ୍ତ ସେଠି ତାଙ୍କ ବକ୍ତବ୍ୟରେ କହିଲେ ଯେ, ମୋଦି ସରକାର ୪୪ ଗୋଟି ଶ୍ରମ ଆଇନ୍କୁ ୪ଟି କୋଡ୍ରେ ପରିଣତ କରିଛନ୍ତି ଯାହାଫଳରେ ଶ୍ରମିକମାନଙ୍କର ସାମାଜିକ ସୁରକ୍ଷା ଆଗାମୀ ଦିନରେ ଅତି ଶୋଚନୀୟ ହୋଇପଡ଼ିବ । ଦେଶର ୨୮ଟି ରାଷ୍ଟ୍ରାୟତ ଉଦ୍ୟୋଗକୁ ବିଜେପି ସରକାର ଘରୋଇ ମାଲିକାନା ହାତକୁ ଟେକି ଦେବାଲାଗି ମୋଦି ଯୋଜନା ପ୍ରସ୍ତୁତ କରୁଛନ୍ତି, ଏହାକୁ ସମସ୍ତ ଶ୍ରମିଜୀବୀ ବ୍ୟକ୍ତିବିଶେଷ ବିରୋଧ କରିବା ଦରକାର ।
ଅଖିଳ ଭାରତ ନିର୍ମାଣ ଶ୍ରମିକ ମହାସଂଘର ଓଡ଼ିଶା ରାଜ୍ୟ ସାଧାରଣ ସମ୍ପାଦକ ମହେନ୍ଦ୍ର ପରିଡ଼ା କହିଲେ ଯେ, ମୋଦି-ଶାହାଙ୍କ ନେତୃତ୍ୱରେ ଆର୍.ଏସ୍.ଏସ୍. ଉପଦେଶରେ ଗଢୁଥିବା ସରକାର ବର୍ତମାନ ସାରା ଦେଶର ସମ୍ପତିକୁ ବିକ୍ରି କରିବାରେ ଲାଗିଛନ୍ତି । ହଜାର ହଜାର ଶ୍ରମିକ ଛଟେଇ ଚାଲିଥିବାବେଳେ ନିର୍ମାଣ ଶ୍ରମିକମାନେ ଅର୍ଥନୈତିକ ମାନ୍ଦାବସ୍ଥା ଯୋଗୁ କାମ ନପାଇ ବେରୋଜଗାର ହୋବର ଲାଗିଛନ୍ତି । ସରକାର ଏଥିପ୍ରତି ଧ୍ୟାନ ଦେବା ଦରକାର । ନିର୍ମାଣ ଶ୍ରମିକମାନଙ୍କର ସ୍ୱାସ୍ଥ୍ୟବସ୍ଥା ସହାୟତା ଲାଗି ରାଜ୍ୟ ସରକାର ତୁରନ୍ତ ବ୍ୟବସ୍ଥା କରିବା ଦରକାର ।
ଅଖିଳ ଭାରତ ନିର୍ମାଣ ଶ୍ରମିକ ମହାସଂଘର ସଭାପତି ନିତ୍ୟ କିଶୋର ମହାନ୍ତି ନିର୍ମାଣ ଶ୍ରମିକମାନଙ୍କ ଲାଗି ଇପିଏଫ୍ ଓ ଇଏସ୍ଆଇ ପ୍ରଦାନ କରିବା ଲାଗି ବ୍ୟବସ୍ଥା ଥିଲେ ମଧ୍ୟ ସରକାର ତାହାର ବ୍ୟବସ୍ଥା କରୁନାହାଁନ୍ତି । ନିର୍ମାଣ ଶ୍ରମିକମାନଙ୍କର ପଞ୍ଜିକରଣ ଓ ସହାୟତା ମଧ୍ୟ ଠିକ୍ ସମୟରେ ନମିଳିବା ଅତି ଦୁଃଖଦାୟକ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ ।
ଏହି ପ୍ରତିବାଦ ସଭାର ଏକ ପ୍ରତିନିଧି ମଣ୍ଡଳୀ ଶ୍ରମ କମିଶନର ଓ କୋଠାବାଡି ଏବଂ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ଅଧ୍ୟକ୍ଷଙ୍କୁ ୧୩ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଏହି ପ୍ରତିନିଧି ମଣ୍ଡଳୀର ଲିଟୁଲାଲ ସୁବୁଦ୍ଧି, ସତ୍ୟମନୁ, ସମରବଳ, କୁଶ ମହାକୁଡ଼, ବଂଶୀଧର ପରିଡ଼ା, ଜ୍ୟୋତ୍ସ୍ନା ମିଶ୍ର, ମାନସ ପ୍ରଧାନ ନେତୃତ୍ୱ ନେଇଥିଲେ ।