ଗଞ୍ଜାମ, ଜିଏସଟି ଫାଙ୍କୁଥିବା ସୁନା ବ୍ୟବସାୟୀଙ୍କୁ କାବୁ କରିଛି ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ପୋଲିସ । ଘଟଣାରେ କାର୍ ଚାଳକ ସମେତ ୪ ଜଣଙ୍କୁ ଅଟକ ରଖିଛି ପୋଲିସ । ସେମାନଙ୍କ ଠାରୁ ୩ କେ.ଜି. ସୁନା ସହ ୧୫୦ କେ.ଜି. ରୂପା ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଅଢ଼େଇ କୋଟି ହେବ ବୋଲି ସୂଚନା ମିଳିଛି । ଜବତ ସୁନା ଓ ରୂପା ଅଳଙ୍କାର ତାମିଲନାଡ଼ୁ ରାଜ୍ୟରୁ କାର୍ ଯୋଗେ ବ୍ରହ୍ମପୁର ପ୍ରେମନଗର ଅଂଚଳକୁ ଆସୁଥିଲା । ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳ ଛକରୁ ଏହାକୁ ଧରିବାରେ ସଫଳ ହୋଇଛି ପୋଲିସ । ଜିଏସଟି ଓ ଆଇଟି ଡିପାର୍ଟମେଂଟକୁ ଏ ସମ୍ପର୍କରେ ଅବଗତ କରାଇବା ସହ ଅଟକ ଅଭିଯୁକ୍ତ ମାନଙ୍କୁ ପଚରାଉଚୁରା ଚଳାଇଛି ପୋଲିସ । ଅଟକ ୪ ଜଣ ତାମିଲନାଡ଼ୁ ରାଜ୍ୟର ବୋଲି ଜଣାପଡିଛି । ପୋଲିସ ପକ୍ଷରୁ ଏ ସମ୍ପର୍କରେ ଅଧିକ ତଦନ୍ତ ଜାରୀ ରହିଛି ।
ପ୍ରକାଶ ଥାଉ କି, ପୂର୍ବରୁ ଏହିପରି ଶହ ଶହ କେଜି ସୁନା, ରୂପା ଏବଂ କୋଟି କୋଟି ଟଙ୍କା ଜବତ କରିଛି ପୋଲିସ ଓ ଅବକାରୀ ଗୁଇନ୍ଦା ବିଭାଗ ।