ଭୁବନେଶ୍ୱର, ପଶ୍ଚିମ-କେନ୍ଦ୍ରୀୟ ତଥା ଆନ୍ଧ୍ର ଉପକୂଳ ସମୁଦ୍ର ମଧ୍ୟରେ ଗତକାଲି ସୃଷ୍ଟି ହୋଇଥିବା ଘୃର୍ଣ୍ଣିବଳୟ ବର୍ତମାନ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଆସନ୍ତାକାଲି ଠାରୁ ବର୍ଷାର ପରିମାଣ ବଢିବ । ବିଶେଷ କରି ୨ ତାରିଖରୁ ୫ ତାରିଖ ମଧ୍ୟରେ ସାରା ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବ । ତେଣୁ ଦୁର୍ଗାପୂଜା ମାହୋଲକୁ ବର୍ଷା ଧୋଇନେଇପାରେ ।
ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନା ଅନୁଯାୟୀ ଆସନ୍ତା ୨୪ ଘଂଟା ମଧ୍ୟରେ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଏହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେହିପରି ୨ ରୁ ୩ ତାରିଖ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି, କେନ୍ଦୁଝର, ମୟୁରଭଂଜ ଏବଂ ଢେଙ୍କାନାଳ ଜିଲ୍ଲାର କିଛି ଅଂଚଳରେ ପ୍ରବଳ ବର୍ଷା (୭ରୁ ୧୧ ସେମି) ବର୍ଷା ହୋଇପାରେ । ଏହି ଜିଲ୍ଲାଗୁଡିକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।