
ବାରିପଦା : ବାରିପଦା ଦିବ୍ୟା ପ୍ୟାଲେସ ହୋଟେଲ ସମ୍ମିଳନୀ ଗୃହରେ ଓଡ଼ିଶା ରାଜ୍ୟ ବିଦୁ୍ୟତ୍ ନିଗମ ଯନ୍ତ୍ରୀ ସଙ୍ଘ ସଭାପତି ଇଂ ବଳରାମ ପ୍ରସାଦ ବସୁ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆୟୋଜିତ ହୋଇଥିଲା । ଏଥିରେ ନେସ୍କୋ ବିଦୁ୍ୟତ୍ ଶ୍ରମିକ କର୍ମଚାରୀ ଇଞ୍ଜିନିୟରର୍ସ ଏକତା ମଂଚ ପକ୍ଷରୁ ଆସନ୍ତା ନଭେମ୍ବର ୨୫ରେ ବାଲେଶ୍ୱରସ୍ଥିତ ନେସ୍କୋ କର୍ପୋରେଟ କାର୍ଯ୍ୟାଳୟ ପରିସରରେ ହେବାକୁ ଥିବା ଧାରଣା ଓ ବିକ୍ଷୋଭ ସମାବେଶ ଉପରେ ଆଲୋଚନା କରାଯାଇଥିଲା । ସେହିପରି ବୈଠକରେ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ବିଦୁ୍ୟତ୍ ଇଞ୍ଜିନିୟରମାନେ ଯୋଗ ଦେଇ ଏକତା ମଂଚ ପକ୍ଷରୁ ଉପସ୍ଥାପିତ କରାଯାଇଥିବା ଘର ଭଡ଼ା ଭତା ୧୮ ପ୍ରତିଶତ, ମେଡ଼ିସିନ ଭତା ୫ ପ୍ରତିଶତ ଏବଂ ବକେୟା ଦରମା ଶତ ପ୍ରତିଶତ ପୈଠ କରାଯିବାର ଦାବିଗୁଡ଼ିକ ତୁରନ୍ତ କାର୍ଯ୍ୟକାରୀ କରାନଗଲେ ସମସ୍ତ ବିଦୁ୍ୟତ୍ ଇଞ୍ଜିନିୟରମାନେ ଆନେ୍ଦାଳନକୁ ଉହ୍ଲାଇ ଆସିବେ ଏବଂ ଆବଶ୍ୟକ ପଡ଼ିଲେ ଚରମ ପଦକ୍ଷେପ ନେବାକୁ ପଛାଇବେ ନାହିଁ ବୋଲି ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତି ଗୃହୀତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଙ୍ଘର ଉପସଭାପତି ଇଂ. ଅଜିତ୍ କୁମାର ନାୟକ, ସାଧାରଣ ସମ୍ପାଦକ ଇଂ ଆଶୁତୋଷ ପଣ୍ଡା, ଇଂ ଲକ୍ଷ୍ମୀଧର ମାଝି, ଇଂ ନଟବର ବେହେରା, ଇଂ ଅନାଥବନ୍ଧୁ ଚରଣ ଦାସ, ଇଂ ଗିରିଜା ଶଙ୍କର ନାଏକ, ଇଂ ନାରାୟଣ ବେହେରା ପ୍ରମୁଖ ଶତାଧି ଯନ୍ତ୍ରୀ ଯୋଗ ଦେଇଥିବା ବେଳେ ସହ-ସାଧାରଣ ସମ୍ପାଦକ ଭାବେ ଇଂ ବସନ୍ତ କୁମାର ସାହୁଙ୍କୁ , ବାରିପଦା ସର୍କଲ ଓ ଉଦଳା ଡ଼ିଭିଜନର ଜୋନାଲ ସଭାପତି ଭାବେ ଇଂ ସାବ୍ୟସଚୀ ପଣ୍ଡା, ରାଇରଙ୍ଗପୁର ଡ଼ିଭିଜନ ଜୋନାଲ ସେକ୍ରେଟେରୀ ଭାବେ ଇଂ ଅମିତାଭ ଦାସଙ୍କୁ ମଧ୍ୟ ସର୍ବ ସମ୍ମତି କ୍ରମେ ମନୋନୀତ କରାଗଲା । ଶେଷରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଂଚଳରୁ ଆସି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଇଞ୍ଜିନିୟରମାନେ ସଙ୍ଘର ଉତରୋତର ଉନ୍ନତି ନିମନ୍ତେ ଚେଷ୍ଟିତ ହେବା ନିମନ୍ତେ ପରାମର୍ଶ ଦେବା ସଂଗେସଂଗେ ଆସନ୍ତା ୨୫ରେ ଏକତା ମଂଚର ଆନେ୍ଦାଳନକୁ ସଫଳ କରାଇବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ରାଜ୍ୟ ସଭାପତି ଶ୍ରୀବସୁମଲ୍ଲିକ ।