ଭୁବନେଶ୍ୱର, ମିଶନ ୨୦୨୪କୁ ସଫଳ କରିବା ଲକ୍ଷ୍ୟ ନେଇ ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ବିଜେପି କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡିଶା ଗସ୍ତରେ ଆସିଥିବା ନବନିଯୁକ୍ତ ବିଜେପି ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ଏବଂ ଦଳୀୟ ପଦାଧିକାରୀ ଓ କୋର କମିଟି ସଦସ୍ୟଙ୍କ ସହ ଆଲୋଚନା କରିଥିଲେ ।
ମଙ୍ଗଳବାର ଦିନ ପ୍ରଥମେ କୋର କମିଟି ବୈଠକ ବସିଥିଲା । ଏଥିରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର , କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡ଼ୁ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ସାଂସଦ ଜୁଏଲ ଓରାମ, ସୁରେଶ ପୂଜାରୀ, ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପୂର୍ବତନ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ପ୍ରମୁଖ ଉପସ୍ଥିତ ଥିଲେ ।
ପରେ ରାଜ୍ୟ ପଦାଧିକରୀ ବୈଠକରେ ବିଧାୟକ, ସାଂସଦ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ ଓ ଦଳର ବିଭିନ୍ନ ମୋର୍ଚ୍ଚାର କର୍ମକର୍ତା ଉପସ୍ଥିତ ଥଲେ । ରାଜ୍ୟ ସରକାରଙ୍କ ବିଫଳତାକୁ କିଭଳି ଲୋକଙ୍କ ଅବଗତ କରାଯିବ ଓ ମୋଦୀ ସରକାରଙ୍କ ସଫଳତା ଲୋକଙ୍କ ପାଖରେ କିଭଳି ପହଂଚିବ, ସେ ନେଇ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରାଯାଇଛି । ଦଳର ତିନି ମାସିଆ ଖସଡ଼ା ବି ପ୍ରସ୍ତୁତ ହୋଇଛି ।
ବୈଠକ ସମ୍ପର୍କରେ ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ଯେ ବୈଠକରେ ଆଗାମୀ ୩ ମାସ ପାଇଁ ଖସଡ଼ା ପ୍ରସ୍ତୁତ କରାଯାଇଛି । ପୁରୀରେ ଆସନ୍ତା ୧୩, ୧୪ ଓ ୧୫ ତାରିଖରେ ପ୍ରଶିକ୍ଷଣ ଶିବିର ହେବ । ରାଜ୍ୟର ୩୭ ହଜାର ବୁଥ୍ କୁ ତୃଣମୂଳ ସ୍ତରରୁ ମଜଭୁତ କରାଯିବ । ବିଜେପି ସାଧାରଣ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ବୁଝିବ ବୋଲି ବୈଠକରେ ଆଲୋଚନା ହୋଇଥିବା ଗୋଲକ ମହାପାତ୍ର କହିଛନ୍ତି ।