ଭୁବନେଶ୍ୱର, ରାଜ୍ୟରେ ଦେଖା ଦେଇଥିବା ଭୟଙ୍କର ବନ୍ୟାରେ ୧୫ ଟି ଜିଲ୍ଲା ପ୍ରଭାବିତ ହୋଇଥିଲାବେଳେ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପାଣି ଘେରରେ ରହିଛନ୍ତି । ହଜାର ହଜାର ଏକର ଫସଲ ଜଳମଗ୍ନ ହୋଇ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବାବେଳେ ଗୃହପାଳିତ ପଶୁ ନାହିଁ ନଥିବା ଯାତନା ଭୋଗୁଛନ୍ତି । ଲୋକଙ୍କ ପାଖରେ ରିଲିଫ୍ ପହଂଚିପାରିଲା ନାହିଁ କି ସରକାରୀ କଳ ଲୋକଙ୍କ ଦୁର୍ଦ୍ଦିଶା ଆକଳନ କରିବା ପାଇଁ ଗ୍ରାଉଣ୍ଡ ଜିରୋରେ ପହଂଚିଲେ ନାହିଁ । ସରକାରଙ୍କର ଅଦୁରଦର୍ଶିତା ଓ ଅପରିଣାମଦର୍ଶିତା ପାଇଁ ରାଜ୍ୟବାସୀ ବନ୍ୟାରେ ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି ବୋଲି ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ଯଦି ରାଜ୍ୟ ସରକାରଙ୍କର ସତ୍ସାହସ ଅଛି ଓ ବନ୍ୟାର ନିୟନ୍ତ୍ରଣ ପାଇଁ ସାମନ୍ୟତମ ଆନ୍ତରିକତା ଅଛି ତେବେ ସର୍ବଦଳୀୟ ଓ ବିଶେଷଜ୍ଞମାନଙ୍କ ବୈଠକ ଡାକନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଆହ୍ୱାନ ଜଣାଇଛନ୍ତି ।
ଶୁକ୍ରବାର କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, କଂଗ୍ରେସ ଦଳ ପକ୍ଷରୁ ଏକ ବନ୍ୟା ଅନୁଧ୍ୟାନକାରୀ କମିଟି ରାଜ୍ୟର ପ୍ରଭାବିତ ୧୫ ଜିଲ୍ଲା ଗ୍ରସ୍ତ କରି ପରିସ୍ଥିତି ପରିଖିଥିଲେ ଓ ପ୍ରଭାବିତ ଲୋକମାନଙ୍କ ସହ ଆଲୋଚନା କରିଥିଲେ । ସେଥିରୁ ସରକାର କେବଳ ମିଛ ପ୍ରଚାରରେ ବ୍ୟସ୍ତ ବୋଲି ଜଣାପଡ଼ିଲା । ବନ୍ୟାର ବେଶ୍ ପୂର୍ବରୁ ଘାଇ ବନ୍ଧ ମରାମତି ପାଇଁ କୋଟି କୋଟି ଟଙ୍କା ବ୍ୟୟ ହୋଇଥିଲେ ମଧ୍ୟ ଏତେ ଘାଇ ସାରା ୧୫ ଟି ଜିଲ୍ଲାରେ କିଭଳି ହେଲା ଏହା ଏଥିପାଇଁ ସରକାର କାହାକୁ ଦାୟୀ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି । କେତେ ବନ୍ୟା ଜଳ ଆସିବ ଓ କେତେ ଅଂଚଳ ପ୍ରଭାବିତ ହେବ ତା’ର ସମସ୍ତ ତଥ୍ୟ ଥାଇ ମଧ୍ୟ ସରକାର ଏବଂ ସରକାରଙ୍କ ପଦସ୍ତ ବାବୁମାନେ ସଠିକ୍ ଆକଳନ କରିବା ପରିବର୍ତେ ଗଣମାଧ୍ୟମରେ ବିଭ୍ରାନ୍ତିକର ସୂଚନା ଦେଇ ଲୋକଙ୍କୁ ଚରମ ଦୁର୍ଦ୍ଦଶା ଓ ଦୁର୍ଦ୍ଦିନ ଭିତରକୁ ଠେଲିଦେଲେ । ଅନେକ ସ୍ଥାନରେ ଘାଇ ହୋଇ ଲୋକ ଭାସିଗଲେ ହେଲେ ସରକାର ଜିରୋ କାଜ୍ୟୁଆଲଟିର ମିଛ ଗପ ଗପୁଛନ୍ତି ।
ବନ୍ୟା ଅନୁଧ୍ୟାନ କମିଟିର ଅଧ୍ୟକ୍ଷ ପଂଚାନନ କାନୁନ୍ଗୋ କହିଛନ୍ତି ଯେ, ଏହି ବନ୍ୟାରେ ୧୭ ଜଣଙ୍କ ଜୀବନ ଯାଇଛି । କିନ୍ତୁ ବନ୍ୟା ଛାଡ଼ିଯିବା ପରେ ଜଳବାହିତ ରୋଗ ଅତି ଗୁରୁତ୍ୱର ଆକରରେ ଧାରଣ କରିବାକୁ ଯାଉଛି । ସରକାର ସେଥିପ୍ରତି ଧ୍ୟନ ଦିଅନ୍ତୁ ଓ ବନ୍ୟାକ୍ଲିଷ୍ଟ ଲୋକଙ୍କୁ ହାଲୋଜିନ୍ ଟାବେଲ୍ଟ ଦିଆଯାଉ । ୧୫ ଦିନ ପାଇଁ ପ୍ରତି ଗାଇଗୋରୁ ଙ୍କ ପାଇଁ ୩ କେ.ଜି ଲେଖାଏଁ ଗୋଖାଦ୍ୟ ଦିଆଯାଉ । ବନ୍ୟାଂଚଳର ସମସ୍ତଙ୍କୁ ୩୦ ଫୁଟ ଲମ୍ବ ଓ ୬ ଫୁଟ ଚଉଡ଼ାର ପାଲ ଯୋଗାଇ ଦିଆଯାଉ । ସହଳ କିଷମର ବିହନ କୃଷକମାନଙ୍କୁ ତୁରନ୍ତ ଯୋଗାଇ ଦିଆଯାଉ । ମାଛ ଛାଷୀମାନଙ୍କୁ ଏକର ପିଛା ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ । ୩୫ ହଜାର ହେକ୍ଟର ଧାନ ଫସଲରୁ ୧୫ ହଜାର ହେକ୍ଟର ସଂପୂର୍ଣ୍ଣ ଭାବେ ଉଜୁଡ଼ି ଯାଇଛି । ତେଣୁ ହେକ୍ଟର ପିଛା ୩୦ ହଜାର ଟଙ୍କା କ୍ଷତିପୂରଣ ଦିଆଯାଉ । ସେହିଭଳି ପନିପରିବା ଚାଷ, ଚାଷୀ ଭାଇମାନଙ୍କୁ ଏକର ପିଛା ଅନ୍ୟୁନ ଏକ ଲକ୍ଷ ଟଙ୍କାର ଆର୍ଥିକ ସହାୟତା କରନ୍ତୁ । ପଶ୍ଚିମ ଓଡ଼ିଶାରେ ମରୁଡ଼ି ଓ ଏପଟେ ବନ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାରେ ବିଫଳ ରାଜ୍ୟ ସରକାର ତୁରନ୍ତ ବିଶେଷଜ୍ଞ କମିଟି ଓ ସର୍ବଦଳୀୟ ବୈଠକ ଡାକନ୍ତୁ ।
ସାମ୍ବାଦିକ ସମ୍ମିଳନୀରେ ବିଧାୟକ ସୁରେଶ କୁମାର ରାଉତରାୟ , ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର ଓ ପି.ସି.ସି କୃଷକ ସେଲ୍ର ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ ଉପସ୍ଥିତ ଥିଲେ ।