ସୁନ୍ଦରଗଡ଼ – ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଟେନସା ଫାଣ୍ଡି ଅଂଚଳରେ ଗତକାଲି ଘଟିଯାଇଥିବା ଜନୈକା ନାବାଳିକା ଗଣଦୁଷ୍କର୍ମ ମାମଲାରେ ପୋଲିସ ତିନି ଅଭିଯୁକ୍ତଙ୍କୁ ଅଟକ ରଖି ପଚରା ଉଚୁରା ଚଳାଇଛି । ଅଭିଯୁକ୍ତମାନଙ୍କ ମଧ୍ୟରେ ଦୁଇ ଜଣ ସାବାଳକ ଓ ଜଣେ ନାବାଳକ ରହିଥିବା ଜଣାପଡିଛି ।
ଗତକାଲି ସଂନ୍ଧ୍ୟାରେ ଅଭିଯୁକ୍ତ ନାବାଳକ ଜଣକ କୌଣସି ପ୍ରଲୋଭନ ଦେଖାଇ ସମ୍ପୃକ୍ତ ନାବାଳିକାଙ୍କୁ ଘରୁ ଡାକି ନେଇଥିଲା । ଏହାପରେ ତା’ର ଅନ୍ୟ ଦୁଇ ଜଣ ସହଯୋଗୀ ସେଠାରେ ପହଂଚି ଥିଲେ । ତିନି ଜଣ ଯାକ ମିଶି ନାବାଳିକା ଜଣକୁ ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଉଠାଇ ନେଇଥିଲେ । ସେଠାରେ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ । ପରେ ନାବାଳିକାକୁ ମୁର୍ମୂଷୁ ଅବସ୍ଥାରେ ଛାଡି ଚାଲିଯାଇଥିଲେ । ନାବାଳିକା ଜଣକ କୌଣସି ପ୍ରକାରେ ଘରକୁ ଫେରି ଏ ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକେ ଏନେଇ ଫାଣ୍ଡିରେ ଏତଲା କରିଥିଲେ । ଏତଲାକୁ ଭିତି କରି ଶିଶୁ ଯୌନ ନିରୋଧ ଆଇନ ବଳରେ ଏକ ମାମଲା ରୁଜ୍ଜୁ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଆଜି ପୀଡ଼ିତା ଓ ଅଭିଯୁକ୍ତ ମାନଙ୍କ ଡାକ୍ତରୀ ମାଇନା କରାଯାଇଛି । ତିନି ଅଭିଯୁକ୍ତଙ୍କୁ ଫାଣ୍ଡିରେ ଅଟକ ରଖି ପଚରା ଉଚୁରା କରାଯାଉଛି । ସେମାନଙ୍କ ନିକଟରୁ ଅଧିକ ତଥ୍ୟ ଆଦାୟ ନିମନ୍ତେ ପୋଲିସ ଉଦ୍ୟମ ଚଳାଇଛି ।