ଜଗତସିଂହପୁର – ଜଗତସିଂହପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ମହାବିଦ୍ୟାଳୟ (ଏସଭିଏମ୍) ରେ ୨୦୧୫-୧୬ ବ୍ୟାଚ୍ ରେ ଅନୁମତି ଠାରୁ ଅଧିକ ସଂଖ୍ୟକ ଛାତ୍ରୀଙ୍କ ଆଡ଼ମିଶନ ତଥା ପରୀକ୍ଷାରେ ଜାଲ୍ ରେଜିଷ୍ଟ୍ରେସନ୍ ନମ୍ବରର ବ୍ୟବହାର ସଂକ୍ରାନ୍ତୀୟ ଅଭିଯୋଗର ତଦନ୍ତ ପାଇଁ ଆଜି ଉଚ୍ଚଶିକ୍ଷା ବିଭାଗର ଏକ ସ୍ୱତନ୍ତ୍ର କମିଟି କଲେଜରେ ପହଂଚିଛନ୍ତି । ଏହି କମିଟି ଆବଶ୍ୟକ କାଗଜପତ୍ର ଯାଂଚ୍ କରିବା ସହ ଏନେଇ ଅଧିକ ଛାନଭିନ୍ ଚଳାଇଛି ।
୨୦୧୫-୧୬ ବ୍ୟାଚ୍ ରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ମଞ୍ଜୁରୀ କରାଯାଇଥିବା ସିଟ୍ ଅପେକ୍ଷା ଅଧିକ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ଆଡମିଶନ କରାଯାଇଥିଲା । ଏହି ଛାତ୍ର ଛାତ୍ରୀ ମାନେ ପରୀକ୍ଷାରେ ପାସ୍ କରିବା ପରେ ତାଙ୍କୁ କଲେଜ ପକ୍ଷରୁ ବିଶ୍ୱବିଦ୍ୟାଳୟ ସାର୍ଟିଫିକେଟ୍ ମଧ୍ୟ ଦିଆଯାଇଥିଲା । ସେହି ଛାତ୍ର ଛାତ୍ରୀ ମାନେ ଯୁକ୍ତ ୩ ପରେ ଅନ୍ୟତ୍ର ଉଚ୍ଚଶିକ୍ଷା ନିମନ୍ତେ ଆଡମିଶନ କରିଥିଲେ । ଏହି ଆଡମିଶନ ସମୟରେ ଭିନ୍ନ ଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ମାଇଗ୍ରେସନ ସାର୍ଟିଫିକେଟ୍ ର ଆବଶ୍ୟକତା ପଡିଥିଲା । ଯାହାଫଳରେ ସେହି ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ କେତେକ ମାଇଗ୍ରେସନ ସାର୍ଟିଫିକେଟ୍ ଦେଇଥିବା ବେଳେ ଅନ୍ୟ କେତେକ ଦେଖାଇ ନପାରି ଆଡମିଶନରୁ ବଂଚିତ ହୋଇଥିଲେ । ପରବର୍ତୀ ସମୟରେ ଆଡମିଶନ କରିଥିବା ଛାତ୍ରଛାତ୍ରୀଙ୍କ ମାଇଗ୍ରେସନ ସାର୍ଟିଫିକେଟ୍ ଯାଂଚ୍ ବେଳେ ଏହା ଜାଲ୍ ବୋଲି ଜଣାପଡିଥିଲା । ଏ ସମ୍ପର୍କିତ ଅନିୟମିତତା ପଦାକୁ ଆସିଥିଲା । ଫଳରେ ୧୫୩ ଜଣ ଛାତ୍ର ଛାତ୍ରୀ ଏବଂ ସେମାନଙ୍କର ଅବିଭାବକ ଗତ ମାସରେ କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ଜଣେ ଛାତ୍ରୀ ମଧ୍ୟ ଏନେଇ ଜଗତସିଂହପୁର ଥାନାରେ ଏତଲା କରିଥିଲେ । ପୋଲିସ ଏତଲାକୁ ଭିତି କରି ମାମଲା ରୁଜ୍ଜୁ କରିବା ସହ ଘଟଣାର ତଦନ୍ତ ଜାରୀ ରଖିଥିଲା ।
ଆଜି ଏହାର ତଦନ୍ତ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର କମିଟି କଲେଜରେ ପହଂଚି ଏନେଇ ଆବଶ୍ୟକ କାଗଜପତ୍ର ଯାଂଚ୍ କରିଛନ୍ତି ।