ଭୁବନେଶ୍ୱର, ଚଳିତ ବର୍ଷ ମଧ୍ୟରେ କୋଭିଡ କଟକଣା ଭିତରେ ପାଳିତ ହେବ ସ୍ୱାଧୀନତା ଦିବସ । ଏଥର ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ଅବସରରେ ହେବାକୁ ଥିବା ରାଜ୍ୟସ୍ତରୀୟ ପରେଡ୍ ରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନେ ଭାଗ ନେବେନାହିଁ । କେବଳ ୩ଟି କଂଟିଜେଂଟ ଏହି ପରେଡରେ ସାମିଲ ହେବେ । ପରେଡରେ ସାମିଲ ଓଏସଏପି, ଓଡ୍ରାଫ୍ ଓ ବିଏସଏଫ୍ କଂଟିଜେଂଟ ୟୁନିଟ୍ ୩ ପ୍ରଦର୍ଶନୀ ପଡ଼ିଆରେ ୧୧ ତାରିଖରୁ ୩ଦିନ ପାଇଁ ପ୍ରାକ୍ଟିସ୍ କରିବେ । କୋଭିଡ୍ ସଂକ୍ରମଣ ପାଇଁ ରାଜ୍ୟ ସରକାର ଏହି କଟକଣା ଲଗାଇଛନ୍ତି ।
ସୂଚନା ଅନୁଯାୟୀ, ରିହର୍ସଲ ଦିନ ନିର୍ଦ୍ଧାରିତ ସମୟର ଅଧାଘଂଟା ପୂର୍ବରୁ କଂଟିଜେଂଟ ପହଂଚିବେ । ସେମାନଙ୍କ ଲାଗି କୋଭିଡ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି । ସମସ୍ତେ ସାମାଜିକ ଦୂରତା ବଜାୟ ରଖିବେ । ଫ୍ଲାଗ୍ ପୋଷ୍ଟ ପାଖରେ ନିୟୋଜିତ ହେବାକୁ ଥିବା ଅଫିସର କୋଭିଡ ନେଗେଟିଭ ହେବା ସହ ମାସ୍କ ଓ ଗ୍ଲୋବ୍ସ ପିନ୍ଧିବାକୁ ବି ନିର୍ଦ୍ଦେଶ ଦିଆଯାଇଛି । ଏଥର ସ୍ୱାଧୀନତା ଦିବସ ସମାରୋହରେ ଜନ ସମାଗମକୁ ବି ବାରଣ କରାଯାଇଛି । ଏଥର ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଅନୁଷ୍ଠିତ ହେବ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିବେ ।