ଭବାନୀପାଟଣା, କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକରେ ଚୋରି ଡକାୟତି ଲୁଟରେ ସାମିଲ ଥିବା ୧୦ ଜଣିଆ ଡକାୟତ ଦଳକୁ କଳାହାଣ୍ଡି ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି। ଏହି ଡକାୟତ ମାନେ ଦୀର୍ଘ ଦିନ ହେଲା ଜିଲ୍ଳାର ବିଭିନ୍ନ ବ୍ଲକରେ ଡକାୟତି କରି ଆସୁଥିଲେ। ଏହି ଡକାୟତ ମାନଙ୍କୁ ଧରିବା ପୋଲିସ ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ହୋଇଥିଲା। ଏହି ଡକାୟତ ମାନେ ଗୋଲାମୁଣ୍ଡା ବ୍ଲକର ପଟିଆଲ ପଡ଼ା, ପଞ୍ଜିଆଶଗ୍ରାମର ଡ଼କାୟତି, ଧର୍ମଗଡସ୍ଥିତ ପୋଷ୍ଟ ଅଫିସର ଡକାୟତି ଉଦ୍ୟମ, ଧର୍ମଗଡ ଆକାଶ କଲେଜରେ ଡକାୟତି, ଖଇରପଦର ଓ ରାଉରା ହଳଦୀଠାରେ ଡକାୟତି, କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ କାଉଡୋଳା, ଡୁଡକା ଠେଙ୍ଗା, କନ୍ଦାବୁଟ୍ରା, କାଶୀବାହାଲର ଡକାୟତି, ଜୟପାଟଣା ବ୍ଲକର ଡଙ୍ଗରିଗୁଡ଼ା ଡ଼କାୟତି ମାମଲାରେ ଏହି ଡକାୟତ ଦଳ ସଂପୃକ୍ତ ଥିଲେ ବୋଲି ଆଜି କଳାହାଣ୍ଡି ଏସପି ଅଭିଳାଷ ଜି ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ଗିରଫ ଡକାୟତ ମାନେ ହେଲେ ନବରଙ୍ଗପୁର ଜିଲ୍ଲାର ଇମାନୁଏଲ୍ ହରିଜନ (ସଲମାନ୍), ଜଗନ୍ନାଥ ହରିଜନ, ଗୋବିନ୍ଦ ହରିଜନ (ଟୁନୁ), କୁମର ହରିଜନ, ଲାଲଧର ହରିଜନ, କୋରାପୁଟ ଜିଲ୍ଲାର ଦଳପତି ହରିଜନ, କଳାହାଣ୍ଡି ଜିଲ୍ଲାର ପରମେଶ୍ବର ବାଗ (ଖଇରପଦର), ସୋମେଶ୍ଵର ନାଏକ (ପଂଜିଆ), ରୋହିତ ନିଆଲ (ଖମାର ହଲଦି) ଓ ଦିନେଶ ବୈଠାରୁ (ଜୟପାଟଣା) ବୋଲି ଜଣାପଡିଛି। ଉକ୍ତ ଡକାୟତ ମାନଙ୍କ ଠାରୁ ନଗଦ ୬ ଲକ୍ଷ ୩୫ ହଜାର ୮୨୫ ଟଙ୍କା ସହ ୫ ଗୋଟି ମୋଟରସାଇକେଲ,୧୧ ଟି ମୋବାଇଲ, ୪୦,୩୯୨ ଗ୍ରାମ ସୁନା, ୪୪୭,୭୪୦ ଗ୍ରାମ ରୁପା ସହ ଡ଼କାୟତିରେ ବ୍ୟବହୃତ ମାରଣାସ୍ତ୍ର ଜବତ କରାଯାଇଛି। ଅଭିଯୁକ୍ତ ଡକାୟତ ମାନଙ୍କୁ ଗତକାଲି ଅପରାହ୍ନରେ କୋର୍ଟଚାଲାଣ କରାଯାଇଛି।