ଭୁବନେଶ୍ବର. ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୋମବାର ଦିନ ଶ୍ରୀଲିଙ୍ଗରାଜ ମନ୍ଦିରରେ ପହଞ୍ଚି ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି । ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ଲୋକସଭା ସଦସ୍ୟ ଅପରାଜିତା ଷଡ଼ଙ୍ଗୀ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ପ୍ରବକ୍ତା ଡାକ୍ତର ସମ୍ବିତ ପାତ୍ର ଓ ଜିଲ୍ଲା ବିଜେପି ସଭାପତି ବାବୁ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।
ମନ୍ଦିର ଭିତରେ ସେ ସର୍ବପ୍ରଥମେ ଶ୍ରୀଗଣେଶଙ୍କୁ ଦର୍ଶନ କରିଥିଲେ। ତାପରେ ଶ୍ରୀଲିଙ୍ଗରାଜଙ୍କର ପୂଜାର୍ଚ୍ଚନା କରିଥିଲେ । ସେଠାରେ ସେ ଜଳାଭିଷେକ ମଧ୍ୟ କରିଥିବା ଜଣା ପଡିଛି । ଶ୍ରୀ ଶାହ ବେଢ଼ା ପରିକ୍ରମା କରିବା ସହ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି।ସେ ଦଶନାିର୍ଥୀ ଖାତାରେ ସ୍ୱାକ୍ଷର କରି ମନ୍ଦିରରୁ ବାହାରିଥିଲେ।
ଏ ସମ୍ପର୍କରେ ସେ ଟ୍ୱିଟ କରି କହିଛନ୍ତି ଯେ – ପବିତ୍ର ଶ୍ରାବଣ ମାସରେ ଭୁବନେଶ୍ୱରର ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିରରେ ମହାଦେବଙ୍କ ଦର୍ଶନ ଲାଭ କରି ଅତ୍ୟନ୍ତ ଆନନ୍ଦିତ। ଏହି ମନ୍ଦିର ହେଉଛି ଭାରତୀୟ ସଂସ୍କୃତିର ଏକ ଐତିହାସିକ ସ୍ଥଳୀ, ଯେଉଁଥିରେ ପ୍ରତ୍ୟେକଟି ଶିଳା ଉପରେ ନିର୍ମିତ କଳାକାରୀ ପ୍ରାଚୀନ ଭାରତୀୟ କାରିଗରୀର ଅଦ୍ଭୂତ ଚମତ୍କାରକୁ ବହନ କରୁଛି।
ଏହା ପରେ ଶ୍ରୀଲିଙ୍ଗରାଜ ମନ୍ଦିରରୁ ବାହାରି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ବାସଭବନକୁ ଯାଇ ଏବଂ ସେଠାରେ ଚା ଓ ଜଳପାନ କରିଛନ୍ତି। ସମୀର ମହାନ୍ତିଙ୍କ ପୁରୁଣା ଭୁବନେଶ୍ବର ବାସଭବନରେ ଶ୍ରୀ ଶାହା ପହଞ୍ଚିବା ପରେ ତାଙ୍କୁ ଉତ୍ତରୀୟ ଦେଇ ପାରମ୍ପରିକ ରୀତିରେ ସ୍ୱାଗତ କରାଯାଇଥିଲା। ଏଠାରେ ମଧ୍ୟ ରାଜ୍ୟ ବିଜେପିର ବହୁ ନେତା ଉପସ୍ଥିତ ଥିବାି ଦେଖିବାକୁ ମିଳିଥିଲା।