
ମାଲକାନଗିରି – ମାଲକାନଗିରି ଜିଲ୍ଲା ପ୍ରେସ କ୍ଲବ ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମାଲକାନଗିରି ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ମାନସ ମାଡକାମୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମାଲକାନଗିରି ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଗୋପୀକୃଷ୍ଣ ପଟ୍ଟନାୟକ, ସମ୍ପାଦକ ଦେବପ୍ରସାଦ ଦାଶ, ଈଶ୍ୱର ପ୍ରସାଦ ପଟନାୟକ, ଭାସ୍କର ବେହେରା ଆବାହକ ଭାବେ ଯୋଗ ଦେଇଥିଲେ । ସମ୍ପାଦକ ଶ୍ରୀ ଦାଶ ନିଜ ବକ୍ତବ୍ୟରେ କହିଥିଲେ ଯେ, ଏହି ଦିବସରେ ସମସ୍ତେ ଭାଇଚାରାର ସମ୍ପର୍କ ନେଇ ଏହି ସାମ୍ବାଦିକତାକୁ ଆଗକୁ ମାନବ ଜାତିର ଉନ୍ନତି ପାଇଁ କାମ କରିବା ଆବଶ୍ୟକ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ କାର୍ଯ୍ୟରତ ସାମ୍ବାଦିକ ଯୋଗ ଦେଇଥିଲେ । ସେହିପରି ମାଲକାନଗିରି ଉତ୍କଳ ସାମ୍ବାଦିକ ସଂଘ ଏବଂ ଆତ୍ମସମର୍ପଣକାରୀ ମାଓ ସମର୍ଥକ ମାନେ ମିଳିତ ଭାବେ ଜାତୀୟ ପ୍ରେସ ଦିବସ ଅବସରରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ମାଧ୍ୟମରେ ସଫେଇ କାର୍ଯ୍ୟକ୍ରମ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମାଲକାନଗିରି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବିରସେନ ପ୍ରଧାନ ଶୁଭାରମ୍ଭ କରିଥିଲାବେଳେ ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ଡ଼.ଗୁଣନିଧି ନାୟକ, ଆଇଆଇସି ରାମ ପ୍ରସାଦ ନାଗ ଓ ବରିଷ୍ଠ ନାଗରିକ ତଥା ବୁଦ୍ଧିଜୀବି ଗଙ୍ଗାଧର ବୁରୁଦା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପ୍ରଥମେ ରାମ ମନ୍ଦିର ପରିସର ପରେ ବାଟି ସାଲ ଗୁଡା ଚର୍ଚ୍ଚ ଏବଂ ମସଜିଦ ପରିସର ସଫେଇ କାର୍ଯ୍ୟ କରାଯାଇଥିଲା । ଏହି ଅବସରରେ ଏକ ଶୋଭାଯାତ୍ରା ରାମ ମନ୍ଦିରରୁ ବାହାରି ସୁବାଷ ଛକରେ ପହଂଚିଥିଲା । ସ୍ୱଚ୍ଛ ଭାରତ ସମ୍ୱନ୍ଧରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । ପରେ ପରେ ସଂଘର ବୈଠକ ରାମ ମନ୍ଦିର ପରିସରରେ ପ୍ରଭାକର ସୁନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଉତ୍କଳ ସାମ୍ବାଦିକ ସଂଘ କେନ୍ଦ୍ରାପଡାର ପ୍ରଶାନ୍ତ କୁମାର ସ୍ୱାଇଁଙ୍କ ଦେହାନ୍ତରେ ସଂଘ ପକ୍ଷରୁ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସଂଘର ସଂଗଠନ ଏବଂ ବିଭିନ୍ନ ସମସ୍ୟା ସମ୍ୱନ୍ଧରେ ଆଲୋଚନା ହୋଇଥିଲା। ଶେଷରେ ମନୋଜ ମହାନ୍ତି, ସୁକଦେଵ କବାସୀ ଧନ୍ୟବାଦ ଅର୍ପଣ କରିଥିଲେ ।