ଭବାନୀପାଟଣା – କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସିଂଝରଣ ଗ୍ରାମରେ ଗତକାଲି ଘଟିଯାଇଥିବା ଟ୍ରିପଲ୍ ମର୍ଡ଼ର ଘଟଣାର ପର୍ଦ୍ଦାଫାଶ କରିଛି ଜିଲ୍ଲା ପୋଲିସ । ପରକୀୟା ପ୍ରୀତିକୁ କେନ୍ଦ୍ର କରି ଅଭିଯୁକ୍ତ ବାପା ଏଭଳି ହତ୍ୟାକାଣ୍ଡ ଘଟାଇଥିବା ସ୍ପଷ୍ଟ ହୋଇଛି ।
ଆଜି ଏନେଇ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବି. ଗଙ୍ଗାଧର କହିଛନ୍ତି ଯେ, ଗୃହକର୍ତା ଲିଙ୍ଗ ମାଝି ପରକୀୟା ପ୍ରୀତିକୁ କେନ୍ଦ୍ର କରି ପ୍ରଥମେ ପତ୍ନୀ ବିମଳା (୩୫)କୁ ହତ୍ୟା କରି ରେଳଧାରଣାରେ ଫିଙ୍ଗି ଚାଲିଯାଇଥିଲା । ପରେ ଘରକୁ ଫେରି ବଡ ପୁଅ ୬ ବର୍ଷିୟ ଦୁଷ୍ମନ୍ତ ଓ ସାନପୁଅ ଦୁଇ ବର୍ଷିୟ ରବୀନ୍ଦ୍ରଙ୍କ ଗଳାକାଟି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲା । ଘଟଣାରେ ପୋଲିସ ଅଭିଯୁକ୍ତ ଲିଙ୍ଗ ମାଝିକୁ ଗିରଫ କରିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏନେଇ ଅଧିକ ତଥ୍ୟ ମିଳିପାରିବ ବୋଲି ପୋଲିସ ଆଶାବାଦୀ ରହିଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।
ସୂଚନାଯୋଗ୍ୟ ଯେ, ସ୍ୱାମୀ ଲିଙ୍ଗ ମାଝି ଗତ କିଛି ଦିନ ତଳେ ଅନ୍ୟ ଜଣେ ବିବାହିତ ମହିଳାଙ୍କ ସହିତ ଘର ଛାଡି ଚାଲି ଯାଇଥିଲେ । ଫଳରେ ଦୁଇ ପିଲାଙ୍କୁ ନେଇ ରହୁଥିଲେ ବିମଳା । ତେବେ ନିଜର ପାରିବାରିକ ବିବାଦ ଫଏସଲା ହେବା ପରେ ମହିଳା ଜଣକ ଲିଙ୍ଗଙ୍କୁ ଛାଡି ନିଜ ପରିବାର ଲୋକଙ୍କ ନିକଟକୁ ଫେରି ଯାଇଥିଲେ । ଯଦ୍ୱାରା ଲିଙ୍ଗ ଅନ୍ୟ ଉପାୟ ନପାଇ ନିଜ ପତ୍ନୀ ଓ ପିଲାଙ୍କ ନିକଟକୁ ଫେରିଥିଲେ । ପତ୍ନୀ ବିମଳା ସ୍ୱାମୀଙ୍କ ଏଭଳି ହରକତକୁ ସହଜରେ ଗ୍ରହଣ କରିପାରିନଥିଲେ । ସେ ତାଙ୍କ ସହିତ ରହିପାରିବେ ନାହିଁ ବୋଲି ସଫା ସଫା ଶୁଣାଇଥିଲେ । ଯାହାକୁ ନେଇ ଅଭିଯୁକ୍ତ ସ୍ୱାମୀ ଲୋକଲଜ୍ଜ୍ୟା, ନିନ୍ଦା ଓ ଅପବାଦ ଭୟରେ ପ୍ରତିହିଂସା ପରାୟଣ ହୋଇଉଠିଥିଲା । ଏବଂ ସବୁଦିନ ପାଇଁ ନିଜ ପତ୍ନୀ ଓ ଦୁଇ ପିଲାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା । ଗତକାଲି ଭୋର୍ ସମୟରେ ସେ ଏହି ନାରକୀୟ ହତ୍ୟାକାଣ୍ଡ ଘଟାଇଥିଲା ।