ଝାରସୁଗୁଡ଼ା – ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ନୂଆଡିହିସ୍ଥିତ ଜାତୀୟ ରାଜପଥ ନଂ ୪୯ ରେ ସ୍ଥାପିତ ଟୋଲଗେଟ୍ କୁ ସମ୍ପୂର୍ଣ୍ଣ ଉଚ୍ଛେଦ ଦାବିରେ ଆଜି ବ୍ରଜରାଜନଗର ନାଗରିକ ମଂଚ ପକ୍ଷରୁ ୧୨ ଘଂଟିଆ ବନ୍ଦ ଡ଼ାକରା ଦିଆଯାଇଥିଲା । ଫଳରେ ଦୋକାନ ବଜାର, ସ୍କୁଲ୍ କଲେଜ ଓ ବଡ ବଡ ବ୍ୟବସାୟ ପ୍ରତିÂାନ ବନ୍ଦ ରହିଥିବା ବେଳେ ଗାଡି ଚଳାଚଳ ସ୍ୱାଭାବିକ୍ ରହିଥିଲା ।
ଏନଏଚ-୪୯ ରେ ସ୍ଥାପିତ ହୋଇଥିବା ଏହି ଟୋଲଗେଟ୍ କୁ ଅଂଚଳବାସୀ ଆରମ୍ଭରୁ ବିରୋଧ କରି ଆସୁଛନ୍ତି । ଟୋଲଗେଟ୍ ହୋଇଥିବା ସ୍ଥାନରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇଥିବା ବେଳେ ନିକଟରେ ଥିବା ବ୍ରିଜ୍ ମଧ୍ୟ ଦୀର୍ଘ ଦିନ ହେଲା ମରାମତି ହୋଇନାହିଁ । ଏସବୁ ସମସ୍ୟାର ସମାଧାନ ନକରି ଟୋଲ୍ ଆଦାୟ ଘଟଣାକୁ ଅଂଚଳବାସୀ ତୀବ୍ର ବିରୋଧ କରିଛନ୍ତି । ଏପରିକି ଟୋଲ୍ କର୍ମଚାରୀଙ୍କ ଗୁଣ୍ଡାଗର୍ଦ୍ଧି ଯୋଗୁଁ ସ୍ଥାନୀୟ ଲୋକେ ଏହାକୁ ବନ୍ଦ ରଖିଛନ୍ତି ।
ସମସ୍ୟାର ସମାଧାନ ନିମନ୍ତେ ସଂନ୍ଧ୍ୟାରେ ଝାରସୁଗୁଡ଼ା ଏଡିଏମଙ୍କ ଉପସ୍ଥିତିରେ ହୋଇଥିବା ତ୍ରିପାକ୍ଷିକ ବୈଠକରେ ଏନେଇ ଆଲୋଚନା ହୋଇଥିଲା । ତେବେ ବ୍ରଜରାଜନଗର ନାଗରିକ ମଂଚ ପକ୍ଷରୁ ଏହି ବୈଠକକୁ ବର୍ଜ୍ଜନ କରାଯିବା ସହ ଟୋଲ୍ ଗେଟ୍ ଉଚ୍ଛେଦ ପାଇଁ ଦାବି ହେଉଛି । ଏହି ବୈଠକରେ ଏଡିଏମ୍ ପ୍ରଦୀପ ସାହୁ, ଉପଜିଲ୍ଲାପାଳ ଶିବ ଟପ୍ପୋ, ଏସପି ଅଶ୍ୱିନୀ କୁମାର ମହାନ୍ତି, ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ଅଧିକାରୀଙ୍କ ସମେତ ନାଗରିକ ମଂଚର କର୍ମକର୍ତା ଓ ବ୍ରଜରାଜନଗର ବାସିନ୍ଦା ଉପସ୍ଥିତ ଥିଲେ । ତେବେ ପ୍ରଶାସନିକ ଉଦ୍ୟମ ବିଫଳ ହୋଇଥିବା ବେଳେ ମଂଚର କର୍ମକର୍ତା ନିଜ ଜିଦ୍ ରେ ଅଟଳ ରହିଛନ୍ତି ।