ଭୁବନେଶ୍ୱର , ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସୁପ୍ରିମକୋର୍ଟ ସର୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଏନେଇ ପ୍ରଶାନ୍ତ ଜଗଦ୍ଦେବଙ୍କ ଓକିଲ ମାନସ ଚାନ୍ଦ ସୂଚନା ଦେଇଛନ୍ତି । ଏହି ଜାମିନରେ କୁହାଯାଇଛି ଯେ ପ୍ରଶାନ୍ତ ଜଗଦ୍ଦେବ ବର୍ଷେ ଯାଏଁ ନିର୍ବାଚନ ମଣ୍ଡଳୀକୁ ଯାଇ ପାରିବେ ନାହିଁ । ଯଦି ଯିବେ, ତେବେ ଜିଲ୍ଲାପାଳଙ୍କ ଅନୁମତି ନେଇ ଯିବେ । କିନ୍ତୁ ସାଙ୍ଗରେ ୫ରୁ ଅଧିକ ଲୋକଙ୍କୁ ନେଇ ଯାଇପାରିବେ ନାହିଁ ବୋଲି ସର୍ତ ରଖାଯାଇଛି ।
ଉଲ୍ଲେଖଯୋଗ୍ୟ, ଗତ ମାର୍ଚ୍ଚ ମାସରେ ବାଣପୁର ବ୍ଲକ୍ କାର୍ଯ୍ୟାଳୟ ଆଗରେ ଲୋକଙ୍କ ଉପରେ ଗାଡ଼ି ମଡ଼ାଇଦେବା ଘଟଣାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରାଯାଇଥିଲା । ଏପ୍ରିଲ ୨୨ ତାରିଖରେ ହାଇକୋର୍ଟରୁ ତାଙ୍କୁ ଅନ୍ତରୀଣ ଜାମିନ ମିଳିଥିଲା । ସ୍ୱାସ୍ଥ୍ୟଜନିତ ସମସ୍ୟା ପାଇଁ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଥିଲା । ଏପ୍ରିଲ ୨୭ ତାରିଖରେ ସେ ଜେଲରୁ ମୁକୁଳିଥିଲେ । ୭ ଦିନ ଅନ୍ତରୀଣ ଜାମିନ ଅବଧି ସରିବା ପୂର୍ବରୁ ଜଗଦ୍ଦେବଙ୍କ ଓକିଲ ହାଇକୋର୍ଟଙ୍କ ନିକଟରେ ଏହାକୁ ବଢ଼ାଇବା ପାଇଁ ଆବେଦନ କରିଥିଲେ । ତାଙ୍କର ଏହି ଆବେଦନକୁ କୋର୍ଟ ଗ୍ରହଣ କରି ଅନ୍ତରୀଣ ଜାମିନକୁ ଆଉ ୭ ଦିନ ବଢ଼ାଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ମେ’ ୧୧ ତାରିଖ ପର୍ଯ୍ୟନ୍ତ ତାରିଖ ଏହି ଅବଧିକୁ ବୃଦ୍ଧି କରାଯାଇଥିଲା । ଏହି ଅନ୍ତରୀଣ ଜାମିନ ଅବଧି ଶେଷ ହେବା ପରେ ବିଧାୟକ ଶ୍ରୀ ଜଗଦ୍ଦେବ ବାଣପୁର କୋର୍ଟରେ ହାଜର ହୋଇଥିଲେ । ପରେ ତାଙ୍କୁ ବିଚାରବିଭାଗ ହାଜତକୁ ପଠାଇ ଦିଆଯାଇଥିଲା ।