ମାଲକାନଗିରି,୨୦୧୫ ମସିହାରେ କିସ୍ରେ ପାଠ ପଢୁଥିବା ବଣ୍ଡାଘାଟିର ଜଣେ ଛାତ୍ର ନିଖୋଜ ହୋଇଯାଇଥିଲେ । ଏହି ଘଟଣାକୁ ଇତି ମଧ୍ୟରେ ୭ବର୍ଷ ବିତିଗଲାଣି । ତେବେ ଏହି ପୁରୁଣା ମାମଲାରେ ପୁଣି ଉକ୍ତ ନିଖୋଜ ଛାତ୍ରଙ୍କୁ ଖୋଜିବାକୁ ଉଦ୍ୟମ ଆରମ୍ଭ କରିଛି ପୁଲିସ । ଛାତ୍ର ଜଣକ କେଉଁ ପରିସ୍ଥିତିରେ ନିଖୋଜ ହେଲେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି । ତେବେ ଥାନାରେ ଦିଆଯାଇଥିବା ଏତଲାକୁ ଭିତ୍ତି କରି ସନ୍ଧାନ କରାଯିବ ବୋଲି ମୁଦୁଲିପଡ଼ା ଥାନା ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ପୁଅର ଫେରିବା ବାଟକୁ ଚାହିଁ ରହିଛନ୍ତି ପରିବାର ଲୋକ। ମୁଦୁଲିପଡା ଥାନା ଅଧିକାରୀ ହିଂମାଶୁ ଶେଖର ବାରିକଙ୍କ ନେତୃତ୍ବରେ ଏହି ଘଟଣାର ପୁଣି ଯାଞ୍ଚ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ଏହି ଘଟଣାର ସଠିକ ତଦନ୍ତ କରି ନିଖୋଜ ଛାତ୍ରଙ୍କ ସନ୍ଧାନ କରିବାକୁ ଉଦ୍ୟମ ଚାଲିଥିବା ଆଇଆଇସି ହିଂମାଶୁ ଶେଖର ବାରିକ ସୂଚନା ଦେଇଛନ୍ତି । ସେହିପରି ଛାତ୍ର ଜଣକ ଜୀବିତ ନା ମୃତ କେହି ଜାଣିଥିଲେ ତୁରନ୍ତ ସେ ବାବଦରେ ପୋଲିସକୁ ସୂଚନା ଦେବାକୁ ସେ ନିବେଦନ କରିଛନ୍ତି । ଛାତ୍ରଙ୍କ ସଂପର୍କରେ କୌଣସି ସୂଚନା ପାଇଲେ ତୁରନ୍ତ ପୁଲିସକୁ ଜଣାଇବେ କିମ୍ବା ଥାନା ଅଧିକାରୀଙ୍କ ବ୍ୟକ୍ତିଗତ ମୋବାଇଲ ନମ୍ବର ୯୪୩୮୯୧୬୮୨୯ରେ ଯୋଗାଯୋଗ କରିବାକୁ ସେ ସୂଚନା ଦେଇଛନ୍ତି। ଛାତ୍ରଙ୍କୁ ଫେରାଇ ଆଣିବା ଦିଗରେ ପୁଲିସ ପକ୍ଷରୁ ସହଯୋଗ କରାଯିବ ବୋଲି ଆଇଆଇସି ଶ୍ରୀ ବାରିକ ଘୋଷଣା କରିଛନ୍ତି।