ମାଲକାନଗିରି, ସଶକ୍ତ ପଞ୍ଚାୟତିରାଜ ପାଇଁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ/ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ଵାରା ଆଜି ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ଠାରେ ଚାରିଗୋଟି ବ୍ଲକ୍ ଯଥା ପଡିଆ, ଚିତ୍ରକୋଣ୍ଡା, ମାଲକାନଗିରି ଏବଂ ଖଇରପୁଟ ଅଞ୍ଚଳର ସମସ୍ତ ସରପଞ୍ଚମାନଙ୍କୁ ନେଇ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟତଃ ସରକାରଙ୍କ ସମସ୍ତ ବିଭାଗର ବିଭିନ୍ନ ପ୍ରକାରର ଯୋଜନାର ସହାୟତା ସାଧାରଣରୁ ଅତିସାଧାରଣ ଜନତାଙ୍କ ପାଖରେ କିପରି ପହଞ୍ଚି ପାରିବ ତା ସହିତ ଏକ ସୁଦୃଢ଼ ପଞ୍ଚାୟତ ଗଠନ ହୋଇପାରିବ, ଏହି ଉଦ୍ଧେଶ୍ୟରେ ସମସ୍ତ ସରପଞ୍ଚଙ୍କୁ ଅବଗତି କରିବା ନିମନ୍ତେ ଏହି କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଛି। ଏହି ଅବସରରେ କାର୍ଯ୍ୟକ୍ରମରେ ଅତିଥି ଭାବେ ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲ୍ ଏବଂ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ବାଳମୁକୁନ୍ଦ ଭୂୟାଁ, ଅତିରିକ୍ତ ପ୍ରକଳ୍ପ ଅଧିକାରୀ ଟ୍ରେନିଂ ହିମାଂଶୁ ମହାରଣା ଯୋଗଦେଇ ତାଲିମଦାତା ସୁନାକର ପାଲ ଓ ଅଶୋକ କୁମାର ପଟନାୟକ ଏବଂ ସମସ୍ତ ସରପଞ୍ଚଙ୍କ ଉପସ୍ଥିତିରେ ଏହାର ଶୁଭ ଉଦଘାଟନ କରିଥିଲେ।
କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ତୁଲାଇ ସଫଳତାର ଶୀର୍ଷରେ ପହଞ୍ଚାଇବା ପାଇଁ ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ଏବଂ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।