କନ୍ଧମାଳ, ତୁମୁଡିବନ୍ଧ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଉପରୁ ୧୧ ପଞ୍ଚାୟତ ବାସୀଙ୍କ ଭରଷା ତୁଟିବାରେ ଲାଗିଛି । ଏଠାରେ ଡାକ୍ତର ଅଛନ୍ତି, କିନ୍ତୁ ମିଳୁନି ଉତ୍ତମ ମାନର ସ୍ଵାସ୍ଥ୍ୟ ସେବା । ରୋଗୀଟେ ଆସିଲେ ପ୍ରାଥମିକ ଚିକିତ୍ସା ପାଇଁ ୧୫ ରୁ ୩୦ ମିନିଟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଛି ଡାକ୍ତରଖାନା ବାରଣ୍ଡାରେ । କରେଣ୍ଟ ଚାଲିଗଲେ ଚିକିତ୍ସା ହୁଏ ଏଠି ମୋବାଇଲ ଲାଇଟରେ। ଜେନେରେଟର ଥିଲେ ମଧ୍ୟ ଗରିବ ଆଦିବାସୀଙ୍କ ସେବାରେ ଏହା ଲାଗେନା। ଶନିବାର ପ୍ରାୟ ସନ୍ଧ୍ୟା ୭ଟା ସମୟରେ ଏକ ମାସର ଶିଶୁର ମୃତ୍ୟୁ ହୋଇଛି । ସରକାରୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ଅବହେଳା ଯୋଗୁଁ ଶିଶୁର ମୃତ୍ୟୁ ହୋଇଥିବା ପିତା ରଞ୍ଜନ ଦିଗଲ ଅଭିଯୋଗ କରିଛନ୍ତି ।
ଅଭିଯୋଗ ପ୍ରକାରେ, ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ସିର୍ଲା ପଞ୍ଚାୟତର ପଡ଼ିଆବାହାଲ ଗ୍ରାମରୁ ଶିଶୁର ଚିକିତ୍ସା ନିମନ୍ତେ ତୁମୁଡିବନ୍ଧ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ସଂଧ୍ୟା ୬ଟା ୩୦ ସମୟରେ ଆଣିଥିଲେ । ଆନ୍ତଃ ଚିକିତ୍ସା ବିଭାଗରେ ଶିଶୁଟିକୁ ଦେଖାଇ ଚିକିତ୍ସା ନିମନ୍ତେ ଡାକ୍ତରଙ୍କୁ ଅନୁରୋଧ କରିଥିଲେ । ଶିଶୁର ଅବସ୍ଥା ଗୁରୁତର ହେବାରୁ ଡାକ୍ତରଙ୍କୁ ଅକ୍ସିଜେନ ଲଗାଇବା ପାଇଁ ଅନୁରୋଧ କରିଥିଲେ ପିତା ରଞ୍ଜନ । କିନ୍ତୁ, ଡାକ୍ତର ତାଙ୍କୁ ଅକ୍ସିଜେନ ମାଗଣା ଦିଆଯାଏନି କହି ବାଲିଗୁଡା ଉପଖଣ୍ଡ ସ୍ଵାସ୍ଥ୍ୟକେନ୍ଦ୍ରକୁ ସୁପାରିଶ କରିଥିଲେ । ତେବେ ଗରିବ ନିରୀହ ନିରକ୍ଷର ଆଦିବାସୀ ଲୋକ କିନ୍ତୁ ଅସହାୟ ହୋଇ ସ୍ଵାସ୍ଥ୍ୟକେନ୍ଦ୍ର ବାହାରେ ଆମ୍ବୁଲାନ୍ସ ଅପେକ୍ଷାରେ ଚାହିଁ ବସିଥିବାବେଳେ ଶିଶୁଟିର ଜୀବନ ଚାଲିଯାଇଥିଲା । ଶେଷରେ କୌଣସି ସହାୟତା ନ ପାଇ ଏକ ବେସରକାରୀ ଅଟୋ ଭଡ଼ାକରି ମୃତ ଶିଶୁକୁ ନିଜ ଗ୍ରାମକୁ ନେଇଯାଇଥିଲେ । ତେବେ ରାଜ୍ୟ ସରକାର ଗରିବ ନିରୀହଙ୍କ ସ୍ଵାସ୍ଥ୍ୟ ସେବା ପାଇଁ ସରକାରୀ ସ୍ଵାସ୍ଥ୍ୟକେନ୍ଦ୍ରରେ ମାଗଣା ଚିକିତ୍ସା ଯୋଗାଇ ଦେଉଥିବାବେଳେ ତୁମୁଡିବନ୍ଧ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ଡାକ୍ତରଙ୍କ ଏହିଭଳି ସେବାରେ କ୍ଷୋଭ ପ୍ରକାଶ କରିଛନ୍ତି ମୃତ ଶିଶୁର ମାତା ପିତା ଓ ଗ୍ରାମବାସୀ । ଏହି ଘଟଣା ପରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ତୁମୁଡିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉପଯୁକ୍ତ ସ୍ଵାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଯତ୍ନଶୀଳ ହେଉ ବୋଲି ତୁମୁଡିବନ୍ଧ ସରପଞ୍ଚ ପ୍ରିୟଙ୍କା ପଡ୍ର।, ବ୍ଲକ କଂଗ୍ରେସ ସଭାପତି ଗିରିଶ ପରାସେଥ, ନାଏବ ସରପଞ୍ଚ ବିଭୁ ଭୂଷଣ ନାୟକ, ସ୍ଵେଚ୍ଛାସେବୀ ଲେବିୟ ପାରାସେଠ୍ ପ୍ରମୁଖ ଦାବି କରିଛନ୍ତି ।